ଫିକା ପଡ଼ିବ ଅଖିମୁଠି ଅନୁକୂଳ ; ପାଳନ ହେବ ନାହିଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରବିବାର ଅକ୍ଷୟ ତୃତୀୟାରେ ଚାଷୀ ପୁଅ ଅଖିମୁଠି ଅନୁକୂଳ କରିବ । କିନ୍ତୁ କରୋନା କଟକଣା ପାଇଁ ଏଥର ଓଡ଼ିଶାର ଏହି ମହାନ ଉତ୍ସବ ଫିକା ପଡ଼ିବ। ବିଧି ରକ୍ଷା କରି ପରମ୍ପରା ଦୃଷ୍ଟିରୁ ଚାଷୀମାନେ ନିଜ ନିଜ ଜମିରେ ଅଖିମୁଠି ଅନୁକୂଳ କରିବେ । ତେବେ କଟକଣା ପାଇଁ ଏଥର ରାଜ୍ୟ ସ୍ତରୀୟ ଉତ୍ସବ ପାଳନ ହେବ ନାହିଁ ।
କରୋନା ସଂକ୍ରମଣ ଦୃଷ୍ଟିରୁ ଏବେ ଲକ୍‌ଡାଉନ୍ ରହିଛି। କଟକଣା ପାଇଁ ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିଲା। ତେବେ କିଛିଦିନ ତଳେ ରାଜ୍ୟ ସରକାର କୃଷି କାର୍ଯ୍ୟକୁ କଟକଣା ମୁକ୍ତ କରିଥିବାରୁ ଆସନ୍ତାକାଲି ଚାଷୀମାନେ ନିଜ ନିଜ ଜମିକୁ ଯାଇ ଅଖିମୁଠି ଅନୁକୂଳ କରିପାରିବେ। ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ସରକାରୀ ସ୍ତରରେ ଅଖିମୁଠି ଅନୁକୂଳ ଉତ୍ସବ ପାଳିତ ହୋଇଥାଏ। ତେବେ ସବୁବର୍ଷ ଭଳି ଏଥର ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ଚାଷ ଜମିରେ ଦେଖିବାକୁ ମିଳିବ ନାହିଁ। ସେହିପରି କଟକଣା ପାଇଁ ବିଲରେ ଚାଷୀ ମେଳି ଦେଖିବାକୁ ମିଳିବ ନାହିଁ ଆଉ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପରମ୍ପରା ରକ୍ଷା କରାଯିବ। ରାଜ୍ୟରେ ପ୍ରାୟ ୪୦ ଲକ୍ଷ ହେକ୍ଟରରେ ଖରିଫ ଧାନ ଚାଷ ହେଉଥିବାବେଳେ ଚଳିତ ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। ତେବେ ଚଳିତ ବର୍ଷ ବିହନ ଅଭାବ ନେଇ ଚାଷୀକୁଳ ମଧ୍ୟରେ ଆଶଙ୍କା ପ୍ରକାଶ ପାଉଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ଭୁବନେଶ୍ବରର ପଟିଆଠାରେ ଦଳର ଯୁବ ନେତା ଚିନ୍ମୟ ସୁନ୍ଦର ଦାସଙ୍କ ତତ୍ତ୍ବାବଧାନରେ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ ହେବ। ଯଦି ସରକାର ଅନୁମତି ଦିଅନ୍ତି ତେବେ ମୁଁ ସାମାଜିକ ଦୂରତା ରକ୍ଷା କରି ଏଥିରେ ସାମିଲ ହେବା ପାଇଁ ଉଦ୍ୟମ କରିବି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଚାଷୀ ଭାଇ ଓ ଭଉଣୀଙ୍କ ସୁଖ ସମୃଦ୍ଧି ଓ ପ୍ରଗତି କାମନା କରିବା ସହ ଅନୁକୂଳ ପାଣିପାଗ ଚଳିତ ବର୍ଷ ସୁନାର ଫସଲ ଫଳୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଅପରପକ୍ଷେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ନୟାଗଡ଼ ସ୍ଥିତ ନିଜ ଜମିରେ ମୁଠି ଅନୁକୂଳ କରିବେ ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀରେ ଦଳର କୃଷକ ମୋର୍ଚ୍ଚା ପକ୍ଷରୁ ଅଖିମୁଠି ଅନୁକୂଳ ହେବ। ସେହିପରି ଜିଲା ସ୍ତରରେ ସାମାଜିକ ଦୂରତା ରକ୍ଷା କରି ମୁଠି ଅନୁକୂଳ ପାଇଁ ସାଂଗଠନିକ ନେତାମାନଙ୍କୁ ଦଳ ପକ୍ଷରୁ ନିିର୍ଦେଶ ଦିଆଯାଇଛି।

Comments are closed.