ସୋଏବ ଅଖତରଙ୍କ ଭବିଷ୍ୟବାଣୀ; ସମଗ୍ର ଭାରତ ଦଖଲ କରିବେ ମୁସଲମାନ ଯୋଦ୍ଧା

ଇସଲାମାବାଦ : ଭାରତର ହିନ୍ଦୁଙ୍କ ବିରୋଧରେ ମୁସଲମାନଙ୍କର ପ୍ରବଳ ସଂଘର୍ଷ ଘଟିବ। ପାକିସ୍ତାନର ମୁସଲମାନ ଯୋଦ୍ଧାମାନେ ପ୍ରଥମେ କାଶ୍ମୀର ଦଖଲ କରିବେ ଓ ଏହା ପରେ ହିନ୍ଦୁଙ୍କୁ ପରାସ୍ତ ପୂର୍ବକ ସମଗ୍ର ଭାରତ ଉପରେ ବିଜୟ ହାସଲ କରିବେ। ଏଭଳି ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର। ‘ରାୱଲପିଣ୍ଡି ଏକ୍ସପ୍ରେସ୍‌’ ଭାବେ ପରିଚିତ ଅଖତରଙ୍କ ମୁହଁରେ ବାଡ଼ ବତା ନ ଥିବା ଓ ସେ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଥିବା ଜଣାଶୁଣା; ତେବେ ସମ୍ପ୍ରତି ‘ଗଜୱା-ଇ-ହିନ୍ଦ୍‌’ର ଅାଭିମୁଖ୍ୟ ବୁଝାଇବାକୁ ଯାଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ‘ଗଜୱା-ହିନ୍ଦ୍‌-ହିନ୍ଦ୍‌’ ଅର୍ଥ ହେଉଛି ଭବିଷ୍ୟତର ଲଢ଼େଇ। ଭବିଷ୍ୟତରେ ପାକିସ୍ତାନର ମୁସଲମାନ ଯୋଦ୍ଧାମାନେ ହିନ୍ଦୁଙ୍କୁ ନିଶ୍ଚୟ ପରାସ୍ତ କରିବେ ବୋଲି ବିଭିନ୍ନ ଶାସ୍ତ୍ରରେ ଲିପିବଦ୍ଧ ଥିବା ଅଖତର ଦାବି କରିଛନ୍ତି। ପାକିସ୍ତାନ ଯୋଦ୍ଧାଙ୍କ ସମର୍ଥନ କରି ଆଫଗାନିସ୍ତାନରୁ ସେନା ଆଟ୍ଟୋକ ନଦୀ ନିକଟରେ ପହଞ୍ଚିବେ। ଉଜ୍‌ବେକିସ୍ତାନ ଭଳି ଏକାଧିକ ଦେଶରୁ ସମର୍ଥନ ମିଳିବ। ସେମାନେ ସମଲ ମସ୍ରିକଠାରୁ ଖୋରାସାନ୍‌ (ଲାହୋର) ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବେ। ସେମାନଙ୍କ ମିଳିତ ଆକ୍ରମଣରେ ହିନ୍ଦୁଙ୍କ ରକ୍ତରେ ଆଟ୍ଟୋକ ନଦୀର ଜଳ ଦୁଇଥର ଲାଲ ପଡ଼ିଯିବ। ସେମାନେ କାଶ୍ମୀର ଦଖଲ କରିବା ପରେ ସମଗ୍ର ଭାରତ ଅଧିକାର ପାଇଁ ଅଗ୍ରସର ହେବେ ବୋଲି ଅଖତର କହିଛନ୍ତି। ତାଙ୍କର ଏଭଳି ଭବିଷ୍ୟବାଣୀକୁ ନିଜ ଧର୍ମର ଅଧିକଂାଶ ବୁଦ୍ଧିଜୀବୀ ତଥା ପଣ୍ଡିତ ନାପସନ୍ଦ କରିଛନ୍ତି। ଏଭଳି ବର୍ଣ୍ଣନା କୌଣସି ଶାସ୍ତ୍ରରେ ନାହିଁ; ତେଣୁ ଏହା ସ୍ବୀକାର୍ଯ୍ୟ ନୁହେଁ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ଭାରତରେ ଅଖତରଙ୍କର ବହୁ ସମର୍ଥକ ରହିଥିବାରୁ ତାଙ୍କ ବକ୍ତବ୍ୟ ୟୁ-ଟ୍ୟୁବ୍‌ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ତୁରନ୍ତ ପ୍ରସାରିତ ହୋଇଛି। ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଆଡିଲେଡ୍‌ ଟେଷ୍ଟରେ ସର୍ବନିମ୍ନ ସ୍କୋର ସହିତ ଲଜ୍ଜାଜନକ ପରାଜୟ ସ୍ବୀକାର କରିବା ନେଇ ଅଖତର କଡ଼ା ଟିପ୍ପଣୀ ରଖିଥିଲେ।

Comments are closed.