ଉନ୍ନାଓ ଘଟଣାର ପ୍ରତିବାଦ; ବିଧାନସଭା ଆଗରେ ଅଖିଳେଶଙ୍କ ଧାରଣା

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କୁ ପୋଡ଼ି ହତ୍ୟା ଘଟଣାକୁ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ଘଟଣା ପ୍ରତିବାଦରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉନ୍ନାଓ ଆସୁଛନ୍ତି। ସେ ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡ଼ିଛି।

ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବାବେଳେ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଥିବାରୁ ଏହାର ଦୃଢ଼ ନିନ୍ଦା କରିଛନ୍ତି ଅଖିଳେଶ। ସେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହିତ ପୂର୍ବାହ୍ନ ୧୧ଟାରୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ତାଙ୍କ ସହିତ ଦଳୀୟ ନେତା ନରେଶ ଉତ୍ତମ ପଟେଲ ଏବଂ ରାଜେନ୍ଦ୍ର ଚୌଧୁରୀ ମଧ୍ୟ ଧାରଣାରେ ସାମିଲ ହୋଇଛନ୍ତି। ଧାରଣା ଦେବା ପୂର୍ବରୁ ସେ ୨ ମିନିଟ ନୀରବ ପ୍ରାର୍ଥନା କରି ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅଖିଳେଶ ଧାରଣା ଦେଇଥିବା ଖବର ପ୍ରଚାରିତ ହେବା ପରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ସେଠାରେ ପହଞ୍ଚିବା ଆରମ୍ଭ କରିଦେଇଛନ୍ତି। ସମାଜବାଦୀ ପାର୍ଟି ନେତାମାନେ କହିଛନ୍ତି ଯେ, ବିଜେପି ସରକାରରେ ମହିଳା ଏବଂ ଶିଶୁମାନେ ସୁରକ୍ଷିତ ନୁହନ୍ତି। ସମାଜବାଦୀ ପାର୍ଟି ପୀଡ଼ିତାଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ।

Comments are closed.