ଓଡ଼ିଆଙ୍କ ହୃଦୟ ଜିତିଥିଲେ ଖୋକାଭାଇ, ତାଙ୍କ ସୃଷ୍ଟି କାଳଜୟୀ

ରକ୍ଷକ ନାୟକଙ୍କୁ ଅକ୍ଷୟ ସାହିତ୍ୟ ସମ୍ମାନ

ଭୁବନେଶ୍ବର: ମୃତ୍ୟୁ ପରେ ଜୀବନ ଶେଷ ହୋଇଯାଏ। ହେଲେ ଯେଉଁମାନଙ୍କ ମୃତ୍ୟୁ ପରେ ଜୀବନ ଆରମ୍ଭ ହୋଇଥାଏ ସେମାନେ ହିଁ ମହାପୁରୁଷ ହୋଇ ରହିଥାନ୍ତି। ଅକ୍ଷୟ ମହାନ୍ତି ସେଭଳି ଜଣେ ବ୍ୟକ୍ତିତ୍ବ। ତାଙ୍କ ସୃଷ୍ଟି କାଳଜୟୀ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ କ୍ଷେତ୍ରରେ ସେ ସ୍ବତନ୍ତ୍ର ସ୍ଥାନ ଅଧିକାର କରି ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟ ଜିତିଛନ୍ତି ବୋଲି ଅକ୍ଷୟ ମହାନ୍ତି ଫାଉଣ୍ଡେସନ୍‌ ଟ୍ରଷ୍ଟ, ଖୋର୍ଦ୍ଧା ପକ୍ଷରୁ ଆୟୋଜିତ ଅଷ୍ଟାଦଶ ବାର୍ଷିକୀ ଅକ୍ଷୟ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଅନୁଷ୍ଠାନର ସଭାପତି ଚୈତନ୍ୟ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକ, ଗୌରଚନ୍ଦ୍ର ମହାପାତ୍ର, ସମାଜସେବୀ ମାନସ କୁମାର ପଟ୍ଟନାୟକ, ଭାଗୀରଥୀ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି(ଖୋକା ଭାଇ)ଙ୍କ ବହୁମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ଉତ୍ସବରେ ସ୍ବର୍ଗତ ମହାନ୍ତିଙ୍କ ଜନପ୍ରିୟ ସଙ୍ଗୀତକୁ ଆବୃତି କରାଯାଇଥିଲା।


ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କବି, ସାହିତ୍ୟିକ ତଥା ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ କୁମାର ନାୟକଙ୍କୁ ଚଳିତବର୍ଷ ଅନୁଷ୍ଠାନର ସର୍ବଶ୍ରେଷ୍ଠ ‘ଅକ୍ଷୟ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ବିଶିଷ୍ଟ କଳାକାର ତଥା ସଂସ୍କୃତି ପ୍ରେମୀ ଏବଂ ନାଟ୍ୟ ନିର୍ଦେଶକ ହୃଦାନନ୍ଦ ଚମ୍ପତ୍ତିରାୟଙ୍କ ‘ଭକ୍ତ ପ୍ରସନ୍ନ ପଟ୍ଟନାୟକ ସମ୍ମାନ’ ପ୍ରଦାନ କରାଯାଇଥିଲା। ଏହାସହିତ କରୋନା ମହାମାରୀ ଆକ୍ରାନ୍ତ ସମୟରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସେବା ଶୁଶ୍ରୁଷା ଯୋଗାଇ ଦେଇ ଆସୁଥିବା ସ୍ବାସ୍ଥ୍ୟକର୍ମୀ, ପୁଲିସ ଅଧିକାରୀ, ଅଶାକର୍ମୀ, ଅଙ୍ଗନୱାଡ଼ି କର୍ମୀ, ଖବରକାଗଜ ବିତରକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜା ସାଗର ରଞ୍ଜନ ମେହେର ମଞ୍ଚ ସଂଯୋଜନା କରିଥିବାବେଳେ ପ୍ରଜ୍ଞା ପ୍ରୀତିପର୍ଣ୍ଣା ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.