ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ନିଜସ୍ୱ ତଦନ୍ତ କରିବ ଆଖଡା ପରିଷଦ

ପ୍ରୟାଗରାଜ: ଏଠାରେ ଥିବା ବାଗମ୍ବରି ମଠର ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଆଖଡା ପରିଷଦ ନିଜସ୍ୱ ଶୈଳୀରେ କରିବ। ଏ ସମ୍ପର୍କରେ ଅଖିଳ ଭାରତ ଆଖଡା ପରିଷଦ (ଏବିଏପି)ର ସାଧାରଣ ସମ୍ପାଦକ ମହନ୍ତ ହରି ଗିରି କହିଛନ୍ତି, ଆଖଡା ପରିଷଦର ଏକ ସ୍ୱତନ୍ତ୍ର ଦଳ ଏହାର ତଦନ୍ତ କରିବ ଏବଂ ତଦନ୍ତ ସମୟରେ ପ୍ରତ୍ୟେକଟି ଦିଗକୁ ବିଚାରକୁ ନିଆଯିବ। ଏହାପରେ ପରିଷଦ ଏହା ଉପରେ ରିପୋର୍ଟ ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପାରିଶ କରିସାରିଛନ୍ତି।

୧୩ଟି ଆଖଡାକୁ ପ୍ରତିନିଧିତ୍ୱ କରୁଥିବା ଆଖଡା ପରିଷଦର ସାଧାରଣ ସମ୍ପାଦକ ହରି ଗିରି କହିଛନ୍ତି, ଏହାର ନିଜସ୍ୱ ତଦନ୍ତ୍ର ଶେଷ ହେବାପରେ ତାହାକୁ ସର୍ବସାଧାରଣରେ ପ୍ରକାଶ କରାଯିବ। ସେ କହିଛନ୍ତି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହିତ ମଠର ବିପୁଳ ସମ୍ପତ୍ତି ପ୍ରସଙ୍ଗ ଜଡିତ କି ନାହିଁ ଏବଂ କେହି ମଠକୁ ଅଧିକାର କରିବାକୁ ଚାହୁଁଥିଲେ କି ନାହିଁ, ସେ ସମସ୍ତ ବିଷୟର ତଦନ୍ତ କରାଯିବ। ମହନ୍ତ ହରି ଗିରି କହିଛନ୍ତି, ଏହି ପ୍ରସଙ୍ଗ ସମ୍ପର୍କରେ ସେ ସମସ୍ତ ୧୩ଟି ଆଖଡା ଏବଂ ନିରଞ୍ଜନି ଆଖଡାର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ମୃତ ମହନ୍ତ ନରେନ୍ଦ୍ର ଗିରି ନିରଞ୍ଜନି ଆଖଡା ସହିତ ସଂପୃକ୍ତ ଥିଲେ। ସମସ୍ତେ ଏବେ ମହନ୍ତଙ୍କ ବିୟୋଗରେ ଶୋକ ପାଳନ କରୁଛନ୍ତି। ଏହା ଶେଷ ହେବାପରେ ସମସ୍ତେ ଏକତ୍ର ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ। ଇତିମଧ୍ୟରେ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ଏବଂ ଅନ୍ୟ ଦୁଇଜଣଙ୍କୁ ଉତ୍ତର ପ୍ରଦେଶ ପୁଲିସ ଗିରଫ କରିସାରିଛି। ରାଜ୍ୟ ପୁଲିସ ମଧ୍ୟ ଏହି ଘଟଣାର ତଦନ୍ତ ପାଇଁ ୧୮ ଜଣ ବଛା ବଛା ଅଧିକାରୀଙ୍କର ଏକ ଦଳ ଗଠନ କରିଛି।

Comments are closed.