ଟାଟା ନାଁରେ ଆକାଶ ବାଣ୍ଟିଛନ୍ତି ଜାଲ୍‌ ନିଯୁକ୍ତିପତ୍ର

ଭିଜିଲାନ୍ସ ଏସ୍‌ଆଇଟି ହାତରେ ପ୍ରମାଣ, ଶିକାର ହୋଇଛନ୍ତି ଗଞ୍ଜାମର ବହୁ ନିରୀହ

ବ୍ରହ୍ମପୁର : ବାପା ଅଭୟକାନ୍ତ ପାଠକଙ୍କ ଭଳି ପୁଅ ଆକାଶ ପାଠକ ମଧ୍ୟ ବିଭିନ୍ନ ପ୍ରକାର ଅସାଧୁ ଉପାୟରେ ଟଙ୍କା ଆଦାୟ କରିଥିବା ପ୍ରମାଣ ଭିଜିଲାନ୍ସର ସ୍ବତନ୍ତ୍ର ତଦନ୍ତ ଦଳ(ଏସ୍‌ଆଇଟି)ହାତରେ ଲାଗିଛି । ଅାକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍‌(ଯାତ୍ରୀବାହୀ ଯାନ) ପୁନେର ଏମ୍‌ଡି ଭାବେ ପରିଚୟ ଦେଇ ବହୁ ବେକାର ଯୁବକଯୁବତୀଙ୍କୁ ଠକିଥିବା ଏହି ସୂତ୍ରରୁ ଜଣାପଡିଛି। ଆକଶଙ୍କ ଦ୍ବାରା ଠକେଇର ସର୍ବାଧିକ ଶିକାର ଗଞ୍ଜାମର ବହୁ ନିରୀହ ଯୁବକ ଯୁବତୀ ଶିକାର ହୋଇଛନ୍ତି । ଟାଟାରେ ନିଯୁକ୍ତି କରାଇଦେବା ପାଇଁ ବହୁ ସଂଖ୍ୟାରେ ଜାଲ୍‌ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ନିଯୁକ୍ତି ପତ୍ରରେ ମୋଟା ଅଙ୍କର ଦରମା ବିଷୟରେ ଉଲ୍ଲେଖ କରାଯାଇ ସେମାନଙ୍କ ଠାରୁ ଟଙ୍କା ଆଦାୟ କରିଥିବା ସୂଚନା ପାଇଛି ଭିଜିଲାନ୍ସ । ପ୍ରାଥମିକ ତଦନ୍ତ ବେଳେ ମୋଟ ୬୮ଜଣ ଯୁବକ ଯୁବତୀ ଆକାଶଙ୍କ ଠକାମୀରେ ପଡ଼ିଥିବା ପ୍ରାଥମିକ ତଦନ୍ତରୁ ପ୍ରମାଣ ପାଇଛି ଭିଜିଲାନ୍ସ ।
ମିଳିଥିବା ସୂଚନା ପ୍ରକାରେ ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ ବାଦପୁର ପଞ୍ଚାୟତର ସିନ୍ଧିଗାଁର ବିକ୍ରମ ରେଡ୍ଡୀଙ୍କ ନିକଟକୁ ଗତ ମାର୍ଚ୍ଚ ୨୦ ତାରିଖରେ ଟାଟା ମୋଟର୍ସ ଲିମିଟେଡ୍‌ର ପାସେଞ୍ଜର ଡିଭିଜନ୍‌- ପୁନେ ଠାରୁ ଏକ ନିଯୁକ୍ତିପତ୍ର ଆସିଥିଲା । ଗ୍ରାଜୁଏଟ୍‌ ଇଞ୍ଜିନିୟର ଟ୍ରେନିଂ ଭାବେ ନିଯୁକ୍ତି ପାଇଁ ଟାଟା ପକ୍ଷରୁ ତାଙ୍କୁ ମନୋନୟନ କରାଯାଇଥିବା ନେଇ ସେଥିରେ ଉଲ୍ଲେଖ ରହିଥିଲା । ସେ ସଫଳତାର ସହ ମନୋନୟନ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଥିବା ଚିଠିରେ ଲେଖାଯାଇଛି । ପ୍ରୋଫାଇଲ୍‌ ଏବଂ ଚୟନ ପ୍ରକ୍ରିୟାରେ ଉନ୍ନତ ପ୍ରଦର୍ଶନ ଯୋଗୁ ତାଙ୍କୁ ‘ଗ୍ରାଜୁଏଟ୍‌ ଇଞ୍ଜିନିୟର୍‌ ଟ୍ରେନି’ ପଦରେ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ସମ୍ପର୍କରେ ଚିଠିରେ ଉଲ୍ଲେଖ ରହିଛି । ଏହାସହ ସମସ୍ତ ପ୍ରକାର ସୁବିଧାକୁ ମିଶାଇ ତାଙ୍କୁ ବାର୍ଷିକ ମୋଟ ଦରମା ୬ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ ଏବଂ ପ୍ରାରମ୍ଭିକ ତାଲିମ୍‌ କାର୍ଯ୍ୟକ୍ରମ(ଆଇଏଲ୍‌ପି) ପରେ ଦରମା ଲାଗୁ ହେବ । ୨୧ ଦିନ ମଧ୍ୟରେ ଏହି ନିଯୁକ୍ତି ସୁଯୋଗକୁ ଗ୍ରହଣ ନ କଲେ ବାତିଲ୍‌ ହୋଇଯିବ । ଯଦି ନିଯୁକ୍ତିକୁ ଗ୍ରହଣ କରନ୍ତି, ତେବେ ନିଯୁକ୍ତିପତ୍ର ପ୍ରଦାନ ସହ ଯୋଗଦାନ ତାରିଖ ସଂପର୍କରେ ସୂଚନା ଦିଆଯିବ । ଏଥି ସହ ଦାୟିତ୍ବ, କାର୍ଯ୍ୟ, ଆଚାରଣ ଏବଂ କମ୍ପାନିର ନୀତି ଆଦର୍ଶ ସଂପର୍କରେ ଅବଗତ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଥିଲା । ଚିଠି ନିମ୍ନରେ ସିନିୟର୍‌ ମ୍ୟାନେଜର୍‌(ମାନବ ସମ୍ବଳ) ଅରୁଣ ଫୁଲେରାଙ୍କ ନାମ ଲେଖାଯିବ ସହ ଏକ ଦସ୍ତଖତ ରହିଛି ।
କେବଳ ବିକ୍ରମ ନୁହଁନ୍ତି, ଏନ୍‌. ଡମ୍ବୁରୁ ରେଡ୍ଡୀ, ଏମ୍‌. ସୁରେଶ ରେଡ୍ଡୀ, ଏନ୍‌. ଲକ୍ଷ୍ମୀନାରାୟଣ ରେଡ୍ଡୀ, ପ୍ରିତମ କୁମାର ମହାପାତ୍ର, ସୁଜିତ କୁମାର ସାହୁ, ଅରୁଣ କୁମାର ଜେନା, ନିହାଲ ରଞ୍ଜନ ବିଷୋୟୀ, ପ୍ରଦୀପ ପଣ୍ଡା, ଅଜିତ କୁମାର ନାୟକ, ମଧୁସ୍ମିତା ରଥ, ଅର୍ପିତା ସାହୁ, ମୌସୁମୀ ସାହୁଙ୍କ ଭଳି ମୋଟ ୬୮ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଗତ ଏପ୍ରିଲ ମାସର ବିଭିନ୍ନ ସମୟରେ ଏମାନଙ୍କ ସାକ୍ଷାତାକାର ନିଆଯାଇଛି । କାହାକୁ ଗ୍ରାଜୁଏଟ୍‌ ଇଞ୍ଜିନିୟର୍‌ ଟ୍ରେନି ତ’ ଆଉ କାହାକୁ ମ୍ୟାନେଜ୍‌ମେଣ୍ଟ ଟ୍ରେନି, ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଆଦି ପବରେ ନିଯୁକ୍ତି ଦିଆଯିବ ବୋଲି ନିଯୁକ୍ତିପତ୍ରରେ ସ୍ପଷ୍ଟ କରାଯାଇଛି । ନିଯୁକ୍ତିପତ୍ରଗୁଡ଼ିକରେ ସିନିୟର୍‌ ମ୍ୟାନେଜର୍‌(ମାନବ ସମ୍ବଳ) ଅରୁଣ ଫୁଲେରାଙ୍କ ଦସ୍ତଖତ ରହିଛି । ତେବେ ଏସବୁ ନିଯୁକ୍ତିପତ୍ର ଏବଂ ଦସ୍ତଖତ ନକଲି ବୋଲି ପ୍ରାଥମିକ ତଦନ୍ତରୁ ଭିଜିଲାନ୍ସ ଜାଣିବାକୁ ପାଇଛି ।
ଅପରପକ୍ଷେ ଏସବୁ ଅଭିଯୋଗକୁ ନେଇ ଟାଟା ମୋଟର୍ସ ଲିମିଟେଡ୍‌ ତରଫରୁ ଏକ ପ୍ରେସ୍‌ ବିବୃତି ଜାରି କରାଯାଇଛି । କମ୍ପାନି ସମ୍ପାଦକ ଏଚ୍‌.କେ. ସେଠ୍‌ନାଙ୍କ ତରଫରୁ ଜାରି ଏହି ବିବୃତିରେ କୁହାଯାଇଛି ଯେ, ଟାଟା ମୋଟର୍ସରେ ନିଯୁକ୍ତି କରାଇଦେବା ପାଇଁ ଆକାଶ ବହୁ ନିରୀହ ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ଏକ ଇ-ମେଲ୍‌ ଆମ ପାଖକୁ ଆସିଥିଲା । ଏହା ଜଣାପଡ଼ିବା ପରେ କମ୍ପାନୀ ତରଫରୁ ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଏତଲା ଦିଆଯାଇଥିଲା । କେସ୍‌ ନଂ ୨୬/୨୦ରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଆକାଶ କୁମାର ପାଠକ ଟାଟାରେ କର୍ମଚାରୀ ନୁହଁନ୍ତି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଠକେଇର ଶିକାର ହୋଇଥିବା ଅଧିକାଂଶ ଯୁବକ ଯୁବତୀଙ୍କ ଘର ଗଞ୍ଜାମ ଜିଲା ବିଶେଷକରି ଗୋପାଳପୁର ବିଧାନସଭା ନିର୍ବାଚମଣ୍ଡଳୀରେ । ଏଣୁ କାହା ଜରିଆରେ ଆକାଶ ଏମାନଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ହେଲା ଠକୁଥିଲେ, ତାହାକୁ ନେଇ ବର୍ତ୍ତମାନ ଭିଜିଲାନ୍ସର ଏସ୍‌ଆଇଟି ତଦନ୍ତ ଜରି ରଖିଥିବା ସୂଚନା ମିଳିଛି ।

Comments are closed.