ଆକାଶଙ୍କୁ ହେପାଜତରେ ନେବାକୁ କ୍ରାଇମ୍‌ବ୍ରାଞ୍ଚର ଆବେଦନ, ରିମାଣ୍ଡ ଦେଲା ଖାରବେଳନଗର ଥାନା ପୁଲିସ

ଭୁବନେଶ୍ବର : ନିଯୁକ୍ତି ଜାଲିଆତି ଓ ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଆକାଶ ପାଠକ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ଏହି ମାମଲାରେ ବିଧାୟକ ପ୍ରଦୀପଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆକାଶଙ୍କୁ ହେପାଜତରେ ନେବା ଲାଗି ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଥିବା ଜଣାପଡିଛି। ଏହି ମାମଲାରେ ଆକାଶଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ୟ୍ୟ କରୁଥିବା ଡେଭିଡ୍‌ ପିଟରଙ୍କୁ ପଚରାଉଚରା ବେଳେ କ୍ରାଇମ୍‌ବ୍ରାଞ୍ଚକୁ ଅନେକ ତଥ୍ୟ ମିଳିଛି। ତେବେ ଏନେଇ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା କରିବା ଲାଗି ଜେଲ୍‌ରେ ଥିବା ଆକାଶଙ୍କୁ ହେପାଜତରେ ନେବ ବୋଲି ଅତିରିକ୍ତ ମହାନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ନିଯୁକ୍ତି ଜାଲିଆତି କରିବା ଏବଂ ଟାଟା ମୋଟର୍ସର ଏମ୍‌ଡି ଭାବେ ନିଜକୁ ଆକାଶ ସଜାଇଥିଲେ। ଏଥିପାଇଁ ସେ ନିଜର ଷ୍ଟାଟସ୍‌କୁ ମଧ୍ୟ ବଢ଼ାଇଥିଲେ। ଏଥିଲାଗି ବେଆଇନ୍‌ ଭାବେ ଉପାର୍ଜନ ହୋଇଥିବା ସମ୍ପତ୍ତିକୁ ବିନିଯୋଗ କରିଥିଲେ। ତେବେ ଏସବୁ ଲାଗି ସେ ଅନେକ ଜାଲିଆତି କରିଥିଲେ। ଏସବୁର ତଥ୍ୟ ସଂଗ୍ରହ ଲାଗି କ୍ରାଇମ୍‌ବ୍ରାଞ୍ଚ ଏବେ ସାଇବର ଫୋରେନ୍‌ସିକ୍‌ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ ଚଳାଇଛି। ଆକାଶଙ୍କୁ ହେପାଜତରେ ନେବା ପରେ ଏସମ୍ପର୍କରେ ପଚରାଉଚରା କରାଯିବ। ଆବଶ୍ୟକ ହେଲେ ବିଧାୟକ ପ୍ରଦୀପଙ୍କୁ ମଧ୍ୟ ହେପାଜତରେ ଅଣାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆକାଶ ପାଠକ ଏବଂ ତାଙ୍କ ବାପା ଅଭୟକାନ୍ତ ପାଠକଙ୍କ ବିରୋଧରେ ଖାରବେଳନଗର ଥାନା ପୁଲିସ ରୁଜୁ କରିଥିବା ଠକେଇ ଓ ଧମକ ମାମଲାର କୋର୍ଟରେ ରିମାଣ୍ଡ ଦେଇଛି। ଆକାଶଙ୍କୁ ଏହି ମାମଲାରେ ହେପାଜତରେ ଆଣି ପଚରାଉଚରା କରିବା ଲାଗି ଖାରବେଳନଗର ଥାନା ପୁଲିସ ଖୁବ୍‌ଶୀଘ୍ର ଆବେଦନ କରିବ ବୋଲି ଜଣାପଡିଛି।

Comments are closed.