ଜିଲ୍ଲାରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ  : ଆଜାଦୀ କା ଅମୃତ ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଚଳିତ ବର୍ଷ ହରଘର ତ୍ରିରଙ୍ଗା ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷିରେ ସ୍ୱାଧୀନତାର ୭୫ବର୍ଷ ଅବସରରେ ଭାରତବର୍ଷର ପ୍ରତିଟି ଘରେ ଜାତୀୟ ପତାକା ଉଡିବ। ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରେରଣା ଦେଇ ଲୋକଙ୍କ ହୃଦୟରେ ଦେଶଭକ୍ତିର ଭାବନାକୁ ଆହ୍ୱାନ କରିବା ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଏହି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଗଷ୍ଟ ୧୫ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟସାରା ଚାଲିବ। ଦୁଇଟି ରଥ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ପରେ ପ୍ରତ୍ୟେକ ଜିଲା ପରିକ୍ରମା କରିବ। ଏହି ଦୁଇଟି ରଥ ଆସନ୍ତା ଅଗଷ୍ଟ ୨୫ ଓ ୨୬ ତାରିଖ ଦିନ ବୌଦ୍ଧଜିଲାରେ ପହଞ୍ଚି ବିଭିନ୍ନ ସ୍ଥାନରେ ଥିବା ସହିଦ ସ୍ତମ୍ଭ, ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜନ୍ମସ୍ଥାନମାନ ଗୁଡିକ ପରିକ୍ରମା କରିବ । ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଜିଲା ସାରା ଉତ୍ସବ ଆୟୋଜନ କରାଯାଇ ବିଭିନ୍ନ ସ୍ଥାନରେ ଏହି ରଥକୁ ସ୍ୱାଗତ କରାଯିବ । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତ ବିଡିଓମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ଏକ ପ୍ରସ୍ତୁତି ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ଜିଲାପାଳ ବବିତାରାଣୀ ଦଳ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଯୋଗଦେଇ ବୌଦ୍ଧ ଜିଲାରେ କିପରି ଏହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ସେ ନେଇ ମତବ୍ୟକ୍ତ କରିଥିଲେ। ଜିଲାରେ କେଉଁ କେଉଁ ରାସ୍ତା ଦେଇ ଏହି ରଥ ପରିକ୍ରମା କରିବ ତାହାର ସଂପୁର୍ଣ୍ଣ ରୁଟଚାର୍ଟ ପ୍ରସ୍ତୁତ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଶେଷରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.