ଶ୍ରୀକ୍ଷେତ୍ରରେ ବିମାନବନ୍ଦର

ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣପାଇଁ ଆନୁଷ୍ଠାନିକ ଅନୁମୋଦନ ଦିଆନଯାଉଣୁ ଏହାକୁ ବିରୋଧ କରିବା ଆରମ୍ଭ ହୋଇଗଲାଣି। ଏହାଦ୍ବାରା ତୀର୍ଥ ପରମ୍ପରା ନଷ୍ଟ; ପାରିବେଶିକ ସମସ୍ୟା ସୃଷ୍ଟି ହେବ ବୋଲି କୁହାଯାଉଛି। ଆହୁରି ମଧ୍ୟ ଭୁବନେଶ୍ବରରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ଥିଲାବେଳେ ଏଠାରୁ ମାତ୍ର ୫୦ କି.ମି ଦୂର ପୁରୀରେ ଦ୍ବିତୀୟ ଆନ୍ତର୍ଜାତିକ ବିମାନବନ୍ଦର ପରିକଳ୍ପନା ଅବାସ୍ତବ ଓ ଅଦରକାରୀ ବୋଲି ଆଉ କିଛି ମନେ କରନ୍ତି। ଏମିତି ସମସ୍ତ ମତବାଦ ଯୁକ୍ତି ଓ ପ୍ରତିଯୁକ୍ତି ଆଧାରରେ ବାସ୍ତବତା ପ୍ରତି ଦୃଷ୍ଟି ଆକର୍ଷଣ କରିବା ଏହି ପ୍ରବନ୍ଧର ଉଦ୍ଦେଶ୍ୟ।
ଭୁବନେଶ୍ବରରେ ଏକ ବିମାନଘାଟି ପ୍ରତିଷ୍ଠା କରାଯାଇଥିଲା ଦ୍ବିତୀୟ ବିଶ୍ବଯୁଦ୍ଧ କାଳରେ। ସମୁଦ୍ର ପତ୍ତନଠାରୁ ପ୍ରାୟ ୧୩୮ଫୁଟ ଉଚ୍ଚ​‌େ​‌ର ଅବସ୍ଥିତ ଏହି ବିମାନଘାଟିକୁ ୧୭.୪.୧୯୬୨ରେ ଉନ୍ନତ କରାଯାଇ ବିମାନବନ୍ଦର ଭାବେ ଲୋକାର୍ପିତ କରାଯାଇଥିଲା। ଏଠାରୁ ବିଦେଶକୁ ବିମାନଯାତ୍ରା ସୁବିଧା ପାଇଁ ୩୦.୧୦.୨୦୧୩ରେ ଅନ୍ତର୍ଜାତୀୟ ବିମାନ ବନ୍ଦର ମାନ୍ୟତା ମିଳିଥିଲେ ହେଁ, ପ୍ରଥମଥର ପାଇଁ ବିଦେଶକୁ ବିମାନ ଉଡ଼ାଣ ସମ୍ଭବ ହୋଇଥିଲା ୨୦୧୫ ମସିହା ଜୁଲାଇ ମାସ ୧୦ ତାରିଖରେ। ନବକଳେବର ବର୍ଷ ପ୍ରଥମ ନବଯୌବନ ଦର୍ଶନ ହୋଇଥିଲା ୧୭.୭.୨୦୧୫ରେ ଏବଂ ସେହିଦିନ ଭୁବନେଶ୍ବର- ଦୁବାଇ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ଆରମ୍ଭ କରାଯାଇଥିଲା। ଏହା ପରେ, ଏଠାରୁ କୁଆଲାଲୁମ୍‌ପୁର ଓ ବ୍ୟାଙ୍କ୍‌କ୍‌କୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ କରାଯାଇଥିଲା।
ଦେଶର ବିଭିନ୍ନ ସହରରେ ଥିବା ବିମାନବନ୍ଦର ସବୁକୁ ପରିବର୍ଦ୍ଧିତ କରିବାପାଇଁ ସ୍ଥାନାଭାବ ନ ଥିଲାବେଳେ, ଭୁବନେଶ୍ବର ବିମାନବନ୍ଦର ଚାରିପାଖରେ ଅବିଚାରିତ ଭାବେ ସହର ଗଢ଼ାଗଲା। ଫଳରେ ଏହାର ଅଭିବୃଦ୍ଧି ସମ୍ଭାବନା ମରିଗଲା। ଭୁବନେଶ୍ବର ଭଳି ହାଇଦ୍ରାବାଦ ସହର ମଧ୍ୟଭାଗରେ ବେଗମପେଟ୍‌ ଥିଲା ଏକ ଅନ୍ତର୍ଜାତୀୟ ବିମାନବନ୍ଦର। ସେଠାରେ ସ୍ଥାନ ନିଅଣ୍ଟ ହେବାରୁ ଏଠାରୁ ପ୍ରାୟ ୪୫ କି.ମି. ଦୂର ସାମଶାବାଦଠାରେ ପ୍ରାୟ ୪୫୦୦ ଏକର ପରିମିତ ସ୍ଥାନରେ ବିଶ୍ବସ୍ତରୀୟ ବିମାନବନ୍ଦର ସ୍ଥାପନ କରାଗଲା। ବେଙ୍ଗାଲୁରୁ ସହର ମଧ୍ୟରେ ଥିବା ବିମାନ ବନ୍ଦର ମଧ୍ୟ ସେହିପରି ଦେବେନ୍‌ ହାଲ୍ଲୀ ଅଞ୍ଚଳକୁ ସ୍ଥାନାନ୍ତର କରାଯାଇଥିଲା। ଏହାର ଆୟତନ ପ୍ରାୟ ୫,୩୦୦ ଏକର ଏବଂ ​‌ବେଙ୍ଗାଲୁରୁ ସହରଠାରୁ ଏହା ପ୍ରାୟ ୫୦ କିମି ଦୂର। ଏହି ଦୁଇଟିଯାକ ବିମାନବନ୍ଦର କାର୍ଯ୍ୟକାରୀ ହେଲାମାତ୍ରେ ପୁରୁଣା ବିମାନ ବନ୍ଦରକୁ ଯାତ୍ରୀସେବା ଦେବାରୁ ବଞ୍ଚିତ କରାଯାଇଛି। ନୂଆଦିଲ୍ଲୀସ୍ଥିତ ବିମାନବନ୍ଦରର ତିନିଟି ରନ୍‌ୱେ ଥିଲାବେଳେ ଅନ୍ୟ ସବୁ ବିମାନବନ୍ଦରରେ ସର୍ବନିମ୍ନ ଦୁଇଟି ରନ୍‌ୱେ ରହିଛି; ଅଥଚ ଭୁବନେଶ୍ବରଠାରେ ଅଛି ଗୋଟିଏ ମାତ୍ର ରନ୍‌ୱେ। ଦିଲ୍ଲୀ ବିମାନବନ୍ଦରର ଆୟତନ ୫୧୦୬ ଏକର ହୋଇଥିଲାବେଳେ ଭୁବନେଶ୍ବର ବିମାନବନ୍ଦରର ଆୟତନ ମାତ୍ର ୯୦୦ ଏକର ଓ ଏହାର ୯୦୦୦ ଫୁଟ ରନ୍‌ୱେରେ ଅନ୍ତର୍ଜାତୀୟ ବୃହଦାକାର ବିମାନ ଚାଳନା ପ୍ରାୟତଃ ଅସମ୍ଭବ। ଭୁବନେଶ୍ବର ବିମାନବନ୍ଦର ଆୟତନ ବୃଦ୍ଧି, ରନ୍‌ୱେର ଲମ୍ବକୁ ବଢ଼ାଇ ୧୨୦୦୦ ଫୁଟ କରିବା ଓ ସମାନ୍ତରାଳଭା​‌େ​‌ବ ଦ୍ବିତୀୟ ରନ୍‌ୱେ ନିର୍ମାଣ କରିବା- ଏହି ସୀମିତ ୯୦୦ ଏକର କ୍ଷେତ୍ରଫଳ ବିଶିଷ୍ଟ ଜମିରେ ଅସମ୍ଭବ ହୋଇ ଥିବାରୁ ବିମାନବନ୍ଦର ସ୍ଥାନାନ୍ତରୀକରଣ ଜରୁରୀ।
ପାଠକମାନଙ୍କର ମନେଥାଇ ପାରେ ଯେ ଗତବର୍ଷ ଘୋଷଣା କରାଯାଇଥିଲା ଯେ, ରନ୍‌ୱେ ମରାମତି ଓ ପୁନଃନିର୍ମାଣ ପାଇଁ ଛଅମାସ ଧରି ରାତି ଓ ପରବର୍ତ୍ତୀ ଛଅମାସ ଦିନବେଳେ ବିମାନବନ୍ଦରରୁ ବନ୍ଦ ରହିବ। ଏଥିରୁ ସ୍ପଷ୍ଟ ଯେ, ଦୁଇଟି ସମାନ୍ତରାଳ ରନ୍‌ୱେ ନଥିବା ଓ ଏକମାତ୍ର ରନ୍‌ୱେ ନଷ୍ଟ ହୋଇଯାଉଥିବା କାରଣରୁ ବିମାନବନ୍ଦର କର୍ତ୍ତୃପକ୍ଷ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ। ଗୋଟିଏ ସବୁଦିନିଆ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଅନ୍ତତଃ ଦୁଇଟି ରନ୍‌ୱେ ୧୨ ହଜାର ଫୁଟରୁ ଅଧିକ ଲମ୍ବ ରନ୍‌ୱେ ଏବଂ ପ୍ରାୟ ୨୫୦୦ ଏକର ଜମି ଅତ୍ୟାବଶ୍ୟକ, ଯାହା ନ ମିଳିଲେ ଏଠାରୁ ବିଦେଶ ଯାତ୍ରା ସହ ମାଲ ପରିବହନ ଲାଭଜନକ ଭାବେ କରିବାକୁ ବିମାନ ସେବା ଯୋଗାଣକାରୀ ସଂସ୍ଥା ଅନାଗ୍ରହୀ ହୁଅନ୍ତି। ଛୋଟ ବିମାନ ମାଧ୍ୟମରେ ଅନ୍ତର୍ଜାତୀୟ ବିମାନ ସେବା ଆର୍ଥିକ ଦୃଷ୍ଟିରୁ ଲାଭଜନକ ନୁହେଁ। ଭାରତ ସରକାର ଓ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପରାମର୍ଶ କ୍ରମେ ଓଡ଼ିଶା ସରକାର ଭୁବନେଶ୍ବର ବିମାନବନ୍ଦରକୁ ସ୍ଥାନାନ୍ତରିତ କରିବା ଉଦ୍ଦେଶ୍ୟରେ ପ୍ରଥମେ ଅରଗୁଳ, ପରେ ଜଙ୍କିଆ ନିକଟସ୍ଥ ମଳିପଡ଼ା ଓ ତାହାପରେ ଖୋର୍ଦ୍ଧା ନିକଟସ୍ଥ ଟାଙ୍ଗୀଆପଡ଼ା ପ୍ରସ୍ତାବ ଦେଇଥିଲେ ହେଁ କ୍ଷେତ୍ରଫଳ ୨୦୦୦ ଏକରରୁ କମ୍‌ ଥିବାରୁ ନାକଚ ହୋଇଯାଇଥିଲା। ପରେ ରାଜ୍ୟସରକାର ପୁରୀଠାରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପ୍ରସ୍ତାବ ଦେଲାପରେ, ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଆଗ୍ରହ ପ୍ରକାଶ କରି ଏକ ପ୍ରାଥମିକ ଆକଳନ ପରେ ଉଚ୍ଚସ୍ତରୀୟ ବିଶେଷଜ୍ଞଦଳ ପଠାଇ ପ୍ରି-ଫିଜିବିଲିଟି ରିପୋର୍ଟ ପ୍ରଦାନ କରି ସାରିଲେଣି। ଏଥିରେ ସିପସରୁବାଲି ସ୍ଥିତ ସ୍ଥାନଟି ଉପଯୁକ୍ତ ବୋଲି କହିବା ସହ ଦିଗ ଓ ପରିବେଶଗତ ସମସ୍ୟା ମୁକ୍ତ ବୋଲି ମତ ଦେଇଛନ୍ତି। ଏଠାରେ ଦୁଇଟି ସମାନ୍ତରାଳ ରନ୍‌ୱେ କରିବାକୁ ତଥା ୧୨୫୦୦ ଫୁଟ ଲମ୍ବର ରନ୍‌ୱେ ସହ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଆବଶ୍ୟକ ସମସ୍ତ ସୁବିଧା ତଥା ଭିତ୍ତିଭୂମି ନିର୍ମାଣ ପାଇଁ ୨୩୦୦ ଏକର ଜମି ଅଧିଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ସମସ୍ତ ଆବଶ୍ୟକତାର ତାଲିକାକୁ ରାଜ୍ୟ ସରକାର ଏବେ ଅନୁଧ୍ୟାନ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଯୋଜନା କୁହାଯାଉଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ଥିବା କଥା କୁହାଯାଉଛି। ବିମାନବନ୍ଦର ନିର୍ମାଣପାଇଁ କେନ୍ଦ୍ରର ସଚିବ ସମୀକ୍ଷା ବୈଠକ କରିସାରିଛନ୍ତି। ଆଗାମୀ ଦୁଇବର୍ଷରେ ବିମାନବନ୍ଦର ଭିତ୍ତିଭୂମି ନିର୍ମାଣ ସରି ତାହାର କିିଛି ମାସ ପରେ ପୁରୀଠାରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ସମ୍ଭବ ହେବ ବୋଲି କୁହାଯାଇଛି।
ହାଇଦରାବାଦ ଓ ବେଙ୍ଗାଲୁରୁ ଉଦାହରଣରୁ ସ୍ପଷ୍ଟ ଯେ, ପୁରୀରେ ବିମାନବନ୍ଦର କାର୍ଯ୍ୟକାରୀ ହେବା ଦିନ ହିଁ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବନ୍ଦ କରିଦିଆଯିବା ଅଧିକ ସମ୍ଭବ। ଏହାକୁ ସ୍ପଷ୍ଟ ଭାବେ ପ୍ରକାଶ କରାନଯାଇ ଏକ ଧାରଣା ସୃଷ୍ଟି କରାଯାଉଛି ଯେ ଭୁବନେଶ୍ବର ବିମାନବନ୍ଦରରୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ ହୋଇଗଲେ ବି ଦେଶର ବିଭିନ୍ନ ସହରକୁ ବିମାନ ସେବା ଚାଲୁରହିବ। ଏପରି ଧାରଣାରୁ ହିଁ ବିରୋଧ ସୃଷ୍ଟି ହେଉଛି। ଅନ୍ୟପକ୍ଷରେ ବିଦେଶରେ ରହୁଥିବା ହିନ୍ଦୁମାନେ ଶ୍ରୀଜଗନ୍ନାଥ ଦର୍ଶନ କରିବା ପାଇଁ ଏହି ବିମାନବନ୍ଦର ସାହାଯ୍ୟ କରିବ। ବିମାନବନ୍ଦର ଚତୁଃପାର୍ଶ୍ବରେ ଚାରାରୋପଣ ତଥା ପରିବେଶ ଅନୁକୂଳ ନିୟମ ପାଳନ ପାଇଁ ନିଷ୍ଠାପରତା ପ୍ରଦର୍ଶନ କଲେ ପରିବେଶବିତ୍‌ ଓ ଜନସାଧାରଣଙ୍କ ପକ୍ଷରୁ ବିରୋଧ ରହିବନାହିଁ।
ହିନ୍ଦୁ ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟକମାନେ ଓଡ଼ିଶା ଆସି ଦିଅଁଦର୍ଶନ କରି ତୃପ୍ତ ହେଲେ, ଶ୍ରୀଜଗନ୍ନାଥ ସଂସ୍କୃତି ଅଧିକ ପ୍ରସାରିତ ହେବ। ଭକ୍ତିଭୂମି ଶ୍ରୀକ୍ଷେତ୍ରକୁ ଭୋଗଭୂମି ନକରିବାକୁ ଅନେକ କିଛି କରାଯାଇ ପାରେ; କିନ୍ତୁ ସେଠାରେ ଏକ ଆନ୍ତର୍ଜାତିକ ବିମାନବନ୍ଦର ନିର୍ମାଣ ହୋଇଗଲେ ଯେ ଶ୍ରୀକ୍ଷେତ୍ରର ପବିତ୍ରତା ନଷ୍ଟ ହୋଇଯିବ, ଏହା ଠିକ୍‌ ନୁହେଁ। ବିମାନବନ୍ଦର ନିର୍ମାଣକୁ ବିରୋଧ କେବେ ହେଁ ଦେଶ ଓ ରାଜ୍ୟ ହିତରେ ନୁହେଁ। ଶ୍ରୀକ୍ଷେତ୍ର ଆଧ୍ୟାତ୍ମିକ ରାଜଧାନୀ, ଭୁବନେଶ୍ବର ରାଜନୈତିକ ରାଜଧାନୀ ଓ କୋଣାର୍କ ଉତ୍କଳୀୟ କଳା ଓ ସ୍ଥାପତ୍ୟର ରାଜଧାନୀ ହୋଇ ସ୍ବର୍ଣ୍ଣିମ ତ୍ରିଭୁଜରୂପେ ପ୍ରବାସୀ ଭାରତୀୟଙ୍କୁ ପ୍ରଲୁବ୍ଧ କରିବା ତଥା ରାଜ୍ୟ ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରିବାପାଇଁ ଅଧିକ ସକ୍ଷମ ହେଉ।

ଜାନକୀଶ ବଡ଼ପଣ୍ଡା
ପୋଖରୀପୁଟ, ଭୁବନେଶ୍ବର
ଦୂରଭାଷ:୯୪୩୮୨୯୯୦୩୭

Comments are closed.