ଦୀପାବଳିର ପ୍ରଭାବ : ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ତରରେ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼ିଛି । ଦୀପାବଳି ପରଦିନ ବାୟୁର ମାନ ଅଧିକ ଖରାପ  ହୋଇପଡିଛି । ବାୟୁ ମାନ ସୂଚକାଙ୍କ ୩୪୬ ରହିଛି । ଯାହାକୁ ଅତ୍ୟନ୍ତ ଖରାପ ସ୍ତର ବୋଲି କୁହାଯାଏ। ତେବେ ବିଭିନ୍ନ ସରକାରୀ ସଂସ୍ଥାର ରିପୋର୍ଟ ଅନୁସାରେ ଗତ ତିନି ବର୍ଷ ତୁଳନାରେ ଏହା ଭଲ ରହିଛି।

ଦୀପାବଳି ଉପଲକ୍ଷେ ଆତସବାଜି ଫୁଟାଇବା ପାଇଁ ସୁପ୍ରିମକୋର୍ଟ ଦ୍ୱାରା ଧାର୍ଯ୍ୟ ୨ ଘଣ୍ଟାର ସମୟସୀମାକୁ ଲୋକମାନେ ନ ମାନିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । କେତେକ ସରକାରୀ ସଂସ୍ଥାଗୁଡ଼ିକର ରିପୋର୍ଟ ଅନୁସାରେ ରବିବାର ରାତି ୧୧ଟା ବେଳେ ଦିଲ୍ଲୀର ମୋଟାମୋଟି ବାୟୁ ମାନ ସୂଚକାଙ୍କ ୩୨୭ ଥିଲା। ମାତ୍ରା ଆନନ୍ଦ ବିହାରରେ ଏହା  ୫୧୫ ଥିଲା। ୱାଜିର୍‍ପୁର ଓ ବୱାନାରେ ଏହା ୪୦୦କୁ ଅତିକ୍ରମ କରିଯାଇଥିଲା। ବାୟୁ ମାନ ଓ ପାଣିପାଗ ପୂର୍ବାନୁମାନ ଓ ଗବେଷଣା ବିଭାଗ ଅନୁସାରେ ଆତସବାଜୀ ଫୁଟାଯିବା ଯୋଗୁଁ ବାୟୁମାନରେ ଘଟିଥିବା ଅବନତିର ପ୍ରଭାବ ଆଜି ସକାଳୁ ସର୍ବାଧିକ ଥିଲା।

ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ଧରି ଅକ୍ଟୋବର ୧୫ରୁ ନଭେମ୍ବର ୧୫ ମଧ୍ୟରେ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟରୁ ମାନ ଖରାପ ହୋଇପଡୁଛି। ବିଶେଷ କରି ଏହି ସମୟ ମଧ୍ୟରେ ଫସଲର ଅବଶିଷ୍ଟାଂଶ ପୋଡି ଯୋଗୁଁ ଅଧିକ ପ୍ରଦୂଷଣ ହେଉଛି।

Comments are closed.