୬୮ ବର୍ଷ ପରେ ଟାଟା ଗ୍ରୁପ ମାଲିକାନାକୁ ଫେରିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଘରବାହୁଡା ହୋଇଛି । ଦୀର୍ଘ ୬୮ ବର୍ଷ ପରେ ଏହା ତାହାର ମୂଳ ମାଲିକାନାକୁ ଫେରିଛି । ଏୟାର ଇଣ୍ଡିଆ ବିକ୍ରି କରିବାକୁ ସରକାରଙ୍କ ପକ୍ଷରୁ ଡକାଯାଇଥିବା ନିଲାମରେ ଟାଟା ଗ୍ରୁପ୍‌ ବିଜୟୀ ହେବା ସହିତ ଏୟାର ଇଣ୍ଡିଆର ମାଲିକାନା ପୁଣି ହାସଲ କରିଛି । ଏହାଦ୍ୱାରା ଘରୋଇ ବିମାନ ବନ୍ଦରଗୁଡିକରେ ୪୪୦୦ ହଜାର ଘରୋଇ ଏବଂ ୧୮୦୦ ଆନ୍ତର୍ଜାତିକ ଅବତରଣ ଓ ପାର୍କିଂ ପାଇଁ ନିର୍ଦ୍ଧାରିତ ଓ ସମୟ ସହିତ ବିଦେଶୀ ରାଷ୍ଟ୍ରଗୁଡିକରେ ୯୦୦ ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନ ହାସଲ କରି ଟାଟା ଗ୍ରୁପ୍‌ ବିମାନ ଚଳାଚଳ ଶିଳ୍ପରେ ଏକ ଶକ୍ତିଶାଳୀ ସଂସ୍ଥା ଭାବରେ ଉଭା ହେବାକୁ ଯାଉଛି । ଟାଟା ଗ୍ରୁପ୍‌ ମଧ୍ୟ ଏୟାର ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ବଜାୟ ରଖି ଏବଂ ପ୍ରଥମ ବର୍ଷ କାହାକୁ ଚାକିରୀରୁ ଛଟେଇ କରିବ ନାହିଁ ବୋଲି ଚୁକ୍ତି ହୋଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ରାଜୀବ ବଂଶଲ କହିଛନ୍ତି । ତାହା ପରେ ଟାଟା ଗ୍ରୁପ ଚାହିଁଲେ କର୍ମଚାରୀଙ୍କୁ ସ୍ୱେଚ୍ଛାକୃତ ଅବସର ନେବାକୁ କହିପାରିବ । ସୂଚନାଯୋଗ୍ୟ ଯେ ୨୦୨୧ ଅଗଷ୍ଟ ସୁଦ୍ଧା ଏୟାର ଇଣ୍ଡିଆର ମୋଟ ଋଣ ବୋଝ ୬୧,୫୬୨ କୋଟି ଟଙ୍କା ରହିଥିଲା । ସେଥିମଧ୍ୟରୁ ଟାଟା ଗ୍ରୁପ୍‌ ୧୫,୩୦୦ କୋଟି ଟଙ୍କାର ଋଣ ଭାର ବହନ କରିବ । ଫଳରେ ସରକାର ଅବଶିଷ୍ଟ ୪୬,୨୬୨ କୋଟି ଟଙ୍କା ପରିଶୋଧ କରିବେ । ଟାଟା ଗ୍ରୁପ୍‌ ଏୟାର ଇଣ୍ଡିଆର ବ୍ରାଣ୍ଡ୍‌ ଏବଂ ଲୋଗୋକୁ ୫ ବର୍ଷ ପାଇଁ ଅନ୍ୟ କାହାକୁ ହସ୍ତାନ୍ତର କରିପାରିବ ନାହିଁ । ଯଦି ପାଞ୍ଚବର୍ଷ ପରେ ଟାଟା ଏହାକୁ ବିକ୍ରି ପାଇଁ ଯୋଜନା କରେ ତେବେ ସେ ତାହା ଜଣେ ଭାରତୀୟ ବ୍ୟକ୍ତିଙ୍କୁ ବିକ୍ରି କରିପାରିବ ।
ଏୟାର ଇଣ୍ଡିଆ ଅଧିଗ୍ରହଣକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଟାଟା ଗ୍ରୁପ୍‌ ମୁଖ୍ୟ ରତନ ଟାଟା । ଏୟାର ଇଣ୍ଡିଆର ପୁନଃନିର୍ମାଣ ଦିଗରେ ସେ ସମସ୍ତ ପ୍ରୟାସ କରିବେ ବୋଲି ରତନ କହିଛନ୍ତି । ସୂଚନାଯୋଗ୍ୟ ଯେ ଏୟାର ଇଣ୍ଡିଆ ମୂଳତଃ ୧୯୩୨ରେ ଟାଟା ଏୟାରଲାଇନ୍ସ ଭାବରେ ଆରମ୍ଭ ହୋଇଥିଲା ଏବଂ କିମ୍ବଦନ୍ତୀ ଶିଳ୍ପପତି ଜେଆରଡି ଟାଟା ଏହା ଆରମ୍ଭ କରିଥିଲେ । ସେ ମଧ୍ୟ ଭାରତର ପ୍ରଥମ ଲାଇସେନ୍ସପ୍ରାପ୍ତ ପାଇଲଟ ଥିଲେ । ପ୍ରାଥମିକ ଅବସ୍ଥାରେ ବ୍ରିଟିଶ ଶାସନ ସମୟରେ ଏହି ବିମାନ ଚଳାଚଳ ସଂସ୍ଥା ତକ୍ରାଳୀନ ବମ୍ବେ ଏବଂ କରାଚି ମଧ୍ୟରେ ଡାକ ନେବା ଆଣିବା କରୁଥିଲା । ୧୯୪୦ରେ ଏହା ବାଣିଜ୍ୟିକ ଉଡାଣ ଆରମ୍ଭ କଲା । ୧୯୪୬ରେ ଟାଟା ସନ୍ସର ବିମାନ ଚଳାଚଳ ବିଭାଗ ଏୟାର ଇଣ୍ଡିଆ ଭାବରେ ତାଲିକାଭୁକ୍ତ ହେଲା ଏବଂ ୧୯୪୮ରେ ଏୟାର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆରମ୍ଭ ସହିତ ୟୁରୋପକୁ ବିମାନ ଉଡାଣ ଆରମ୍ଭ ହୋଇଥିଲା ।

Comments are closed.