ରୋଗୀ-ଅନୁକୂଳ ପରିବେଶ ସୃଷ୍ଟି କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିଛି ଏମ୍‌ସ ଭୁବନେଶ୍ୱର

ଚୂଡ଼ାନ୍ତ ମୂଲ୍ୟାଙ୍କନ ପାଇଁ କାୟାକଳ୍ପ ଦଳର ଏମ୍‌ସ ଭୁବନେଶ୍ୱର ପରିଦର୍ଶନ

ଭୁବନେଶ୍ୱର: ନୂଆଦିଲ୍ଲୀସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଜାତୀୟ ପ୍ରତିଷ୍ଠାନ(ଏନଆଇଏଚଏଫଡବ୍ଲ୍ୟୁ)ରୁ ଆସିଥିବା କାୟାକଳ୍ପ
ଦଳ ଚୂଡାନ୍ତ ମୂଲ୍ୟାଙ୍କନ ନିମନ୍ତେ ଏମ୍‌ସ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି। ଏନଆଇଏଚଏଫଡବ୍ଲ୍ୟୁର ଚାରିଜଣ ସଦସ୍ୟଙ୍କୁ ନେଇ ଗଠିତ ଏହି ଟିମ୍ ଏମ୍‌ସ ଗତକାଲି ଏବଂ ଆଜି ଦୁଇଦିନିଆ ଗସ୍ତ କରିଥିଲେ। ଏହି ଦଳରେ ଡ. ମିରାମ୍ବିକା ମହାପାତ୍ର, ଡ. ଦୀନେଶ ପାଲ, ଡକ୍ଟର ରୂପେଶ ଗୁପ୍ତା ଏବଂ ଡକ୍ଟର ମୁକେଶ କୁମାର ରାୟ ଥିଲେ। ପ୍ରଥମ ଦିନରେ ଏହି ଟିମ ଏମ୍ସ ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଡ. ମୁକେଶ ତ୍ରିପାଠୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଏହି ଜାତୀୟ ପ୍ରତିଷ୍ଠାନ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍.ଏନ୍ ମହାନ୍ତି, ଡିଡିଏ ପି.କେ ରାୟ, ପ୍ରଫେସର ଏବଂ ହେଡ୍ ହସ୍ପିଟାଲ୍ ପ୍ରଶାସନ ଏବଂ କାୟାକଳ୍ପ ନୋଡାଲ୍ ଅଧିକାରୀ, ଡ. ଜବାହର ଏସ.କେ ପିଲ୍ଲାଇ, ଡ.ଶ୍ବେତା ସିଂ, ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, ଡ. ବିନୋଦ ପାତ୍ର, ଡ. ଅରବିନ୍ଦ ସିଂ ଏବଂ ଅଶୋକ କୁମାର ଜେନା ପ୍ରମୁଖ ସାମିଲ ଥିଲେ। ପରବର୍ତ୍ତୀ ସମୟରେ ଟିମ୍ ଓପିଡ଼ି, ଆଇପିଡ଼ି, ଅପରେସନ କକ୍ଷ, ଆଇସିୟୁ, ଟ୍ରମା ଏବଂ ଜରୁରୀ ଓଟି, ଫାର୍ମାସି, ସିଏସଏସଡି, ରୋଷେଇ ଘର ଆଦି ପରିଦର୍ଶନ କରିଥିଲେ। ହସ୍ପିଟାଲର ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଏବଂ ସ୍ୱଚ୍ଛତା ରକ୍ଷା ନେଇ ବ୍ୟାପକ ପଦକ୍ଷେପ ଆଦିକୁ ନିରୀକ୍ଷଣ କରିଥିଲେ। ଏତଦ୍ ବ୍ୟତୀତ ଏହି ଟିମ୍ ହସ୍ପିଟାଲର ବିଭିନ୍ନ କ୍ଷେତ୍ର ବୁଲି ଦେଖିଥିଲେ। ଏହା ସହିତ କର୍ମଚାରୀ ଏବଂ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ।

ଦୁଇ ଦିନିଆ ଗସ୍ତ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଯୁକ୍ତ ଏହି କାୟାକଳ୍ପ ଦଳ ଏମ୍‌ସ ଭୁବନେଶ୍ୱରର ରୋଗୀ ଅନୁକୁଳ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଦେଶର ଅନ୍ୟାନ୍ୟ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ନିମନ୍ତେ ଏମ୍‌ସ ଭୁବନେଶ୍ୱର ସ୍ୱଚ୍ଛତା, ଜନସ୍ୱାସ୍ଥ୍ୟ ସୁବିଧା କ୍ଷେତ୍ରରେ ନିରନ୍ତର ଅଭ୍ୟାସ ସୃଷ୍ଟି କରିବାରେ ଉଦାହରଣ ସୃଷ୍ଟି କରିଥିବା କାୟାକଳ୍ପ ଦଳ ପକ୍ଷରୁ ପ୍ରକାଶ।
ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏମ୍‌ସ ଭୁବନେଶ୍ୱର ପୂର୍ବରୁ କ୍ରମାଗତ ତିନିଥର କାୟାକଳ୍ପ ପୁରସ୍କାର ହାସଲ କରି ଜାତୀୟ ସ୍ତରରେ ଓଡ଼ିଶାର ଟେକ ରଖିଛି। ସ୍ବଚ୍ଛ ଭାରତ ମିଶନର ପରିବ୍ୟାପ୍ତ ନିମନ୍ତେ କାୟାକଳ୍ପ ପୁରସ୍କାର ଯୋଜନା ୧୫ ମେ,୨୦୧୫ ରେ ଆରମ୍ଭ କରାଯାଇଥିଲା। ଜନସ୍ୱାସ୍ଥ୍ୟ ସେବାରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ଉନ୍ନତ ତଥା ପ୍ରୋତ୍ସାହିତ କରିବା ଏବଂ ଆଦର୍ଶ ପ୍ରଦର୍ଶନ ସୁବିଧାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା।

Comments are closed.