ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏଆଇଏଫଏଫ ସଭାପତି, ସମ୍ପାଦକ

ଓଡ଼ିଶାରେ ଫୁଟବଲର ବିକାଶ ନେଇ ପ୍ରତିଶ୍ରୁତି, ପୁଣି ଆରମ୍ଭ ହେବ କଳିଙ୍ଗ କପ୍‌

ଭୁବନେଶ୍ବର : ସର୍ବଭାରତୀୟ ଫୁଟବଲ ମହାସଂଘ(ଏଆଇଏଫଏଫ) ପକ୍ଷରୁ ନବ ନିର୍ବାଚିତ ସଭାପତି କଲ୍ୟାଣ ଚୌବେ ଓ ନବ ନିଯୁକ୍ତ ସମ୍ପାଦକ ସାଜି ପ୍ରଭାକରନ ବୁଧବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ସଭାପତି ଚୌବେ ଓ ସମ୍ପାଦକ ପ୍ରଭାକରନଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ଫୁଟବଲର ବିକାଶ ନେଇ ଆଲୋଚନା କରିଥିଲେ। ଓଡ଼ିଶାରେ ମହିଳା ଫୁଟବଲର ବିକାଶ ସହ କଳିଙ୍ଗ କପ୍‌କୁ ପୁଣି ଆରମ୍ଭ କରିବା ନେଇ ଆଲୋଚନା ହୋଇଥିଲା। ସର୍ବଭାରତୀୟ କଳିଙ୍ଗ କପ୍‌ ଫୁଟବଲକୁ ପୁଣି ଆରମ୍ଭ କରିବା ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ) ସହଯୋଗ କରିବ ବୋଲି ସଭାପତି ଓ ସମ୍ପାଦକ ପ୍ରତିଶ୍ରୁତି ଦେଇଥିଲେ। ପରେପରେ ସଭାପତି କଲ୍ୟାଣ ଓ ସମ୍ପାଦକ ପ୍ରଭାକରନ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣାଙ୍କୁ ଭେଟିବା ସହିତ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପ ଉପରେ ଆଲୋଚନା କରିଥିଲେ। ବିଶେଷ କରି କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ମ୍ୟାଚ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା। ଏଆଇଏଫଏଫ ସଭାପତି ଓ ସମ୍ପାଦକ କଳିଙ୍ଗ ଷ୍ଟାଡ଼ିୟମ ମୁଖ୍ୟ ଗ୍ରାଉଣ୍ଡ ସହ ଅଭ୍ୟାସ ଗ୍ରାଉଣ୍ଡ, ବ୍ୟାୟାମଶାଳା ଆଦି ଭିତ୍ତିଭୂମି ମଧ୍ୟ ବୁଲି ଦେଖିଥିଲେ। ଓଡ଼ିଶାରେ ଫୁଟବଲର ବିକାଶ ନେଇ କ୍ରୀଡ଼ା ସଚିବଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

Comments are closed.