ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲାରେ ‘ଅହିଂସା ରଥ’ ପରିକ୍ରମା, ବିଭିନ୍ନ ସ୍ଥାନରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର: କଷ୍ଟଲବ୍ଧ ସ୍ୱାଧୀନତା, ଅହିଂସା ଓ ତି୍ରରଙ୍ଗାର ମହତ୍ୱକୁ ଲୋକଙ୍କଠାରେ ପୁନଃଜାଗ୍ରତ କରିଛି ଅହିଂସା ରଥ। ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରିବ ଅହିଂସା ରଥ। ଇତି ମଧ୍ୟରେ ଅହିଂସା ରଥ ୨୫ ଜିଲ୍ଲା ପରିକ୍ରମା କରି ଆଜି ଗଞ୍ଜାମ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପରିକ୍ରମା କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ୪ଟି ଅହିଂସା ରଥ ବୀରପୁତ୍ରମାନଙ୍କ ତ୍ୟାଗ ଓ ଆତ୍ମୋତ୍ସର୍ଗର ବାର୍ତ୍ତା ବହନ କରି ପୁରପଲ୍ଲୀରୁ ସହର, ସହରରୁ ଗ୍ରାମ ଓ ଗ୍ରାମରୁ ଗ୍ରାମ ପରିକ୍ରମା କରିଚାଲିଛି।
ଆଜି ଅହିଂସା ରଥକୁ ଗଞ୍ଜାମ ଜିଲା ତପ୍ତପାଣିଠାରେ ସୂଚନା ଓ ଲୋକସଂପର୍କ ଅଧିକାରୀ ରବି ନାରାୟଣ ବେହେରା, ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାସ, ସ୍ୱଳ୍ପ ସଂଚୟ ଅଧିକାରୀ ହରି ଚରଣ ମିଶ୍ର, ସଂସ୍କୃତି ଅଧିକାରୀ ଜିତେନ୍‌ କୁମାର ପରିଡ଼ା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀନିବାସ ବେହେରା, ବ୍ଲକ୍‌ ଅଧ୍ୟକ୍ଷ ସୀମାଞ୍ଚଳ ପ୍ରଧାନ, ଜିଲାପରିଷଦ ସଭ୍ୟସଭ୍ୟା, ପଞ୍ଚାୟତିରାଜ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହାପରେ ପୋଡ଼ାମାରୀ ଓ ଡେଙ୍ଗାଓସ୍ତଠାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅହିଂସା ରଥ ଦ୍ୱୟକୁ ଉତ୍ସାହର ସହ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପ୍ରଥମ ରଥ ଦିଗପହଣ୍ଡି ବ୍ଲକ୍‌ ଅଭିମୁଖେ ଓ ଦ୍ୱିତୀୟ ରଥ ଚିକିଟି ଅଭିମୁଖେ ଯାତ୍ରା କରିଥିଲା । ସେଠାରେ ରଥକୁ ଭବ୍ୟ ସ୍ୱାଗତ ପ୍ରଦାନ ସହ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସ୍ଥାନୀୟ କଳାକାର ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଚିକିଟିଠାରେ ଏକ ସାଧାରଣ ସଭା ଆୟୋଜନ କରାଯାଇ ଗଞ୍ଜାମ କଳା ପରିଷଦ ପକ୍ଷରୁ ସତ୍ୟ, ଶାନ୍ତି ଓ ଅହିଂସାର ବାର୍ତ୍ତା ବହନ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର, ତହସିଲଦାର ବିଶ୍ୱରଞ୍ଜନ କହଁର, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପାରାଣୀ ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଗ୍ରାମଜିତ ସାହୁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
ସେହିପରି କେନ୍ଦ୍ରାପଡ଼ା ବ୍ଲକ୍‌ ଅନ୍ତର୍ଗତ ଇନ୍ଦୁପୁରଠାରେ ଅହିଂସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ରଥ ସନ୍ଥପୁରା, ଡେରାବିସ କଲେଜ, ସଲାର ମଠ, କେନ୍ଦ୍ରାପଡ଼ା କଲେଜ, ଗରପୁର ଡାକବଙ୍ଗଳା ଓ ତୁଳସୀ ମହିଳା ମହାବିଦ୍ୟାଳୟ ଆଦି ସ୍ଥାନ ପରିକ୍ରମା କରିବା ଅବସରରେ ସ୍ୱାଧୀନତା ସଂପର୍କିତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ରଥ ଜରିଆରେ ଅହିଂସା ନୀତି ଓ ଗାନ୍ଧିଜୀଙ୍କ ଆଦର୍ଶ ନେଇ ବାର୍ତ୍ତା ପ୍ରଚାର କରାଯାଇଥିଲା । ଇନ୍ଦୁପୁରଠାରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅବସରରେ ବିଧାୟକ ଶଶିଭୂଷଣ ବେହେରାଙ୍କ ସମେତ ଜିଲ୍ଲା ପରିଷଦ ସଭାପତି, ବିଡ଼ିଓ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଗରାପୁର ଡାକବଙ୍ଗଳାଠାରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶ୍ରୀ ଶଶିଭୂଷଣ ବେହେରା ଉପସ୍ଥିତ ଥିଲେ । ସେହିପରି ଅନ୍ୟ ଏକ ରଥ ଚନ୍ଦନପୁର, ରାଜକନିକା ବ୍ଲକ୍‌ ଅନ୍ତର୍ଗତ ଓଳାଭର, ଏସ୍‌.ଏନ୍‌ କଲେଜ, ଆଳି ବ୍ଲକ୍‌ର ନିଆଳି ବଜାର, ସିଂଗିରିର ସମସ୍ତ ସ୍ଥାନରେ ଭିଡ଼ିଓ ପ୍ରଦର୍ଶନ କରି ଗାନ୍ଧିଜୀଙ୍କ ବାର୍ତ୍ତା ପ୍ରଚାର କରିବା ସହ ଜନସଚେତନତା ସୃଷ୍ଟି କରିଥିଲା । ଏହି ରଥ ପରିକ୍ରମା ସମୟରେ ପଞ୍ଚାୟତିରାଜ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଛାତ୍ରଛାତ୍ରୀ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

Comments are closed.