ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟର ଆବଶ୍ୟକତା

ଓଡ଼ିଶାର ସବୁ ଅଞ୍ଚଳରେ ଚାଷୀ ଉପକୃତ ହେବେ

ଓଡି଼ଶାର କୃଷକମାନଙ୍କର ହିତ ସାଧନ ଉଦ୍ଦେଶ୍ୟରେ ୨୪ ଅଗଷ୍ଟ ୧୯୬୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ‘ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ’ ସ୍ଥାପନ କରିଥିଲେ। ଏହା ଥିଲା ଭାରତର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ। ଭାରତରେ ନିଯୁକ୍ତ ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରଦୂତ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଜନ୍ ଗଲବ୍ରେଥ ଓ ବିଜୁ ପଟ୍ଟନାୟକ ଭୁବନେଶ୍ୱରଠାରେ ଏକ ଭବ୍ୟ ସମାରୋହରେ ଏହି ବିଶ୍ୱବିଦ୍ୟାଳୟ ଉଦ୍‌ଘାଟନ କରିଥିଲେ। ସେତେବେଳର କୃଷି ମନ୍ତ୍ରୀ ତଥା ‘ସମାଜ’ ସମ୍ପାଦକ ଡକ୍ଟର ରାଧାନାଥ ରଥ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ। ଏହା ପୂର୍ବରୁ ୧୭ ନଭେମ୍ବର ୧୯୬୦ରେ ଉତ୍ତରପ୍ରଦେଶର ପନ୍ଥନଗରଠାରେ ଦେଶର ପ୍ରଥମ କୃଷି ବିଶ୍ୱବିଦ୍ୟାଳୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ତୃତୀୟ କୃଷି ବିଶ୍ୱବିଦ୍ୟାଳୟ ୮ ଜୁଲାଇ ୧୯୬୩ରେ ପଞ୍ଜାବର ଲୁଧିଆନାଠାରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଦ୍ୱାରା ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଆମେରିକାର ଲାଣ୍ଡଗ୍ରାଣ୍ଟ କଲେଜ ଢାଞ୍ଚାରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ କାର୍ୟ୍ୟ କରୁଛି। ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ୬୭ଟି କୃଷି ବିଶ୍ୱବିଦ୍ୟାଳୟ ଓ ୫ଟି ଡିମ୍‌ଡି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇସାରିଲାଣି। କୃଷକର ଆୟବୃଦ୍ଧି ଓ କୃଷିର ବିକାଶକୁ ସୁନିଶ୍ଚିତ କରିବା ପାଇଁ କୃଷିବିଜ୍ଞାନୀମାନଙ୍କର ବହୁଳ ଆବଶ୍ୟକତା ରହିଛି। ଉତ୍ତରପ୍ରଦେଶରେ ବର୍ତ୍ତମାନ ୮ଟି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇ କୃଷକମାନଙ୍କର ଅଶେଷ ଉପକାର ସାଧନ କରୁଛି। ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟର ଆବଶ୍ୟକତା ବିଷୟରେ ଦ୍ୱିମତ ନଥିଲେ ମଧ୍ୟ ଏହା ଏପର୍ୟ୍ୟନ୍ତ ସମ୍ଭବପର ହୋଇନାହିଁ। ୨୦୧୪ ଅଗଷ୍ଟ ୧୫ରେ ଏକ ସମାବେଶରେ ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ରାଜ୍ୟର କେବିକେ ଅଞ୍ଚଳରେ ସରକାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯୋଜନା କରୁଛନ୍ତି ଏବଂ ରାଜ୍ୟ ସରକାରଙ୍କ ବଜେଟ୍‌ରେ ଏଥିପାଇଁ ଅର୍ଥ ବରାଦ ହୋଇସାରିଛି ବୋଲି କହିଥିଲେ, କିନ୍ତୁ ଅଦ୍ୟାବଧି ଏହା କାର୍ୟ୍ୟକାରୀ ହୋଇପାରିନାହିଁ।
ଓଡ଼ିଶାରେ ୨୦୧୩-୧୪ ମସିହାରୁ ସ୍ୱତନ୍ତ୍ର କୃଷି ବଜେଟ୍ ଆରମ୍ଭ ହୋଇଛି। କୃଷି ବଜେଟ୍‌ ବ୍ୟୟବରାଦ ୭ ହଜାର ୧୬୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦ ହଜାର ୭୧୪ କୋଟି ଟଙ୍କା ହୋଇଛି, କିନ୍ତୁ ଏଥିରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ବ୍ୟୟ ବରାଦର ବ୍ୟବସ୍ଥା ହୋଇନାହିଁ।
ଚଳିତବର୍ଷ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଆରମ୍ଭ କରିବା ଓଡ଼ିଶା ପକ୍ଷରେ ଅତ୍ୟନ୍ତ ଶୁଭପ୍ରଦ ହେବ। କାରଣ କେନ୍ଦ୍ର ସରକାର ତାଙ୍କ ବଜେଟ୍‌ରେ କୃଷି ଓ କୃଷକମାନଙ୍କ ଉନ୍ନତି ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବ ବୋଲି ଏକ ଷୋଳସୂତ୍ରୀ ଯୋଜନା ବିଷୟରେ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଛି। ଇଣ୍ଡିଆନ୍ କାଉନସିଲ ଅଫ୍ ଏଗ୍ରିକଲ୍‌ଚର ରିସର୍ଚ୍ଚକୁ ଆବଶ୍ୟକତା ଅନୁଯାୟୀ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଛି, କିନ୍ତୁ କୃଷକ ତା’ର ଜମି କିଭଳି ଉର୍ବର ରହିବ ସେଥିପାଇଁ କୃଷି ବିଜ୍ଞାନୀମାନଙ୍କର ପରାମର୍ଶ ଓ ସହାୟତା ଉପରେ ସବୁବେଳେ ନିର୍ଭର କରୁଛି। ଆମ ରାଜ୍ୟରେ କୃଷକମାନେ କୃଷି ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ବିଭାଗରୁ ଓ କୃଷିବିଜ୍ଞାନ କେନ୍ଦ୍ରଗୁଡ଼ିକ ପାଖରୁ ସବୁବେଳେ ପରାମର୍ଶ ମାଗିଥାନ୍ତି, କିନ୍ତୁ ସୀମିତ କୃଷିବିଜ୍ଞାନୀମାନେ ରାଜ୍ୟର କୃଷକମାନଙ୍କୁ ଠିକ୍ ସମୟରେ ସହାୟତା ଦେଇପାରୁ ନାହାନ୍ତି।
ଅନୁର୍ବର ଟାଙ୍ଗରା ଭୂମିରେ ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ ରୋହିବାଙ୍କ ଅଞ୍ଚଳରେ ୯୦ ଏକର ଜମିରେ ସାବରମତୀ ସୁନାର ଫସଲ କୃଷିବିଜ୍ଞାନୀଙ୍କ ସହାୟତା ନେଇ ଫଳାଇ ପାରିଛନ୍ତି ଏବଂ ଜୈବିକ ଉପାୟରେ ଯେଉଁ ଚାଷ କାର୍ୟ୍ୟ କରିଛନ୍ତି, ତାହା ଲୋକଲୋଚନକୁ ଆସିଛି। ସାବରମତୀ ଓଡି଼ଶାର ଅନୁର୍ବର ଜମିମାଲିକମାନଙ୍କ ପାଇଁ ଉତ୍ସାହର ଉତ୍ସ ପାଲଟି ଯାଇଛନ୍ତି। ତାଙ୍କୁ ଓ ତାଙ୍କ ପିତା ରାଧାମୋହନଙ୍କୁ ଭାରତ ସରକାର ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ କରିଛନ୍ତି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଅଞ୍ଚଳର ଜଣେ ବ୍ୟକ୍ତି ବଟକୃଷ୍ଣ ସାହୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ନିଜ ଗ୍ରାମରେ ପାଣିକାଦୁଅରେ ଘାଣ୍ଟିଚକଟି ହୋଇ ମାଛଚାଷ କରି ସେଠାରେ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ଏବଂ ଚଳିତବର୍ଷ ‘ପଦ୍ମଶ୍ରୀ’ ଉପାଧିରେ ଭୂଷିତ ହୋଇଛନ୍ତି। ଏହିଭଳି ଲକ୍ଷଲକ୍ଷ ଚାଷୀ କୃଷି ବିଶେଷଜ୍ଞମାନଙ୍କର ସହାୟତା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି। ସରକାର କୃଷିକୁ ପ୍ରୋତ୍ସାହନ ଦେବାକୁ ପ୍ରସ୍ତୁତ, କିନ୍ତୁ ସେଥିପାଇଁ ତାଲିମପ୍ରାପ୍ତ ଲୋକବଳର ଘୋର ଅଭାବ ରହିଛି। ଓଡ଼ିଶାରେ ଅନ୍ୟୂନ ଆଉ ୨ଟି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ତୁରନ୍ତ ଆବଶ୍ୟକ। ଗୋଟିଏ ପଶ୍ଚିମାଞ୍ଚଳରେ ବିଶେଷକରି ଚିପିଲିମାରେ ଓ ଅନ୍ୟ ଗୋଟିଏ ଦକ୍ଷିଣ-ଓଡ଼ିଶାରେ ହେବା ଜରୁରୀ ହୋଇପଡ଼ିଛି।
ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ୨୫ଟି ପଶୁଚିକିତ୍ସା ଓ ପଶୁପାଳନ ବିଶ୍ୱବିଦ୍ୟାଳୟ କାର୍ୟ୍ୟ କରୁଅଛି। ପୂର୍ବରୁ କୃଷିମନ୍ତ୍ରୀ ଆମ ରାଜ୍ୟରେ ଆଉ ଗୋଟିଏ ପଶୁଚିକିତ୍ସା ଓ ପଶୁବିଜ୍ଞାନ ବିଶ୍ୱବିଦ୍ୟାଳୟ ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ। ମୟୂରଭଞ୍ଜ ଜିଲ୍ଲାରେ ନୂତନ ଭାବେ ଗୋପାଳନ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ସ୍ଥିର ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ବଜେଟ୍‌ରେ ୧ ହଜାର ଟଙ୍କା ଲେଖାଏଁ ବ୍ୟବସ୍ଥା ହୋଇଆସୁଛି। ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲେ ଆଇସିଏଆର୍ ଜରିଆରେ କେନ୍ଦ୍ର ସରକାରଙ୍କଠାରୁ ଆବଶ୍ୟକ ପାଣ୍ଠି ମିଳିବ, ଏହା ନିଃସନ୍ଦେହ। କେବଳ ବିଶ୍ୱବିଦ୍ୟାଳୟ ନୁହେଁ, ଆମ ରାଜ୍ୟରେ ନୂତନ କୃଷି ମହାବିଦ୍ୟାଳୟ ଏବଂ ପଶୁଚିକିତ୍ସା ଓ ପଶୁବିଜ୍ଞାନ ମହାବିଦ୍ୟାଳୟମାନ ମଧ୍ୟ ପ୍ରତିଷ୍ଠା କରାଯାଇପାରିବ।

 

ବିମଳେନ୍ଦୁ ମହାନ୍ତି

ପୂର୍ବତନ କୁଳପତି, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ

Comments are closed.