ଏମଏସପି ପାଇଁ କମିଟି ଗଠନ ଓ ମାମଲା ପ୍ରତ୍ୟାହାର ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚାକୁ ପତ୍ର ଲେଖିଲା କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରସଙ୍ଗରେ ଏକ କମିଟି ଗଠନ କରିବାକୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଘୋଷଣା କରିଥିଲେ । ଉକ୍ତ କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ କୃଷକ ସଂଗଠନର ପ୍ରତିନିଧି ତଥା କୃଷି ବୈଜ୍ଞାନିକଙ୍କୁ ସଦସ୍ୟ ଭାବରେ ନିଆଯିବ । ଦେଶର କୃଷକମାନଙ୍କୁ ଏମଏସପି ମିଳିବା କିଭଳି ସୁନିଶ୍ଚିତ ଓ ସୁରକ୍ଷିତ କରାଯାଇପାରିବ ତାହା କମିଟି ନିର୍ଦ୍ଧାରଣ କରିବ । ଏଥିସହିତ କୃଷକମାନଙ୍କ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ଏବଂ ସେମାନଙ୍କ ସମର୍ଥକଙ୍କ ବିରୁଦ୍ଧରେ ଆନ୍ଦୋଳନ ସମ୍ପର୍କିତ ଦାଏର ସମସ୍ତ ମାମଲାକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିନେବାକୁ ରାଜି ହୋଇଛନ୍ତି । ରାଜ୍ୟଗୁଡିକ ମଧ୍ୟ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିବେଦନ କରିଛନ୍ତି । ଏହି ମର୍ମରେ କୃଷି ମନ୍ତ୍ରଣାଳୟ ପକ୍ଷରୁ ସଂଯୁକ୍ତ କିଷାନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ନିକଟକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ ଏକ ପତ୍ର ଲେଖାଯାଇଥିବା ଜଣାଯାଇଛି । ଏହାପରେ କୃଷକମାନେ ସେମାନଙ୍କ ଆନ୍ଦୋଳନ ପରିସମାପ୍ତ ଘଟାଇବା ଆଶା କରାଯାଉଛି ।

Comments are closed.