ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ: ମନ୍ତ୍ରୀ ଡ. ଅରୁଣ କୁମାର ସାହୁ

ଭୁବନେଶ୍ୱର: ସଭ୍ୟତାର ଦୁର୍ଲଭ ପ୍ରାଣୀଜାତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ। ଜଣଙ୍କର ଜୀବିକାର୍ଜନ ପାଇଁ ଅନ୍ୟପ୍ରାଣୀଙ୍କୁ ବିପଦରେ ପକାଇବା ଉଚିତ ନୁହେଁ। ଆଜି କୃଷି ଭବନସ୍ଥିତ ପ୍ରେକ୍ଷାଳୟରେ ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ (ଏଫ୍‌ଏଫ୍‌ଏମ୍‌ଏ)କୁ ଲୋକାର୍ପଣ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପ୍ରକାଶ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ୫-‘ଟି’ ମନ୍ତ୍ର ଅଧୀନରେ ଟେକ୍‌ନୋଲୋଜିର ବ୍ୟବହାରକୁ ଅତ୍ୟନ୍ତ ଗୁରୁତ୍ୱ ଆରୋପ କରାଯାଇଛି। ତାଙ୍କୁ ରାଜ୍ୟ ସରକାର ଅନେକ ସେବା ଯୋଗାଇ ଆସୁଛନ୍ତି। ଆଜି ଶୁଭାରମ୍ଭ ହେଉଥିବା ମୋବାଇଲ୍‌ ଆପ୍‌ ରାଜ୍ୟ ସରକାରଙ୍କର ଜନମୁଖୀ ଯୋଜନାରେ ଯୋଡ଼ିଛି ଆଉ ଏକ ଫର୍ଦ୍ଦ। ଏହି ଅବସରରେ ମନ୍ତ୍ରୀ ଡ. ସାହୁ ବିରଳ ଅଲିଭ୍‌ ରିଡ୍‌ଲେ ସାମୁଦି୍ରକ କଇଁଛଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ମନ୍ତ୍ରୀ ଡ. ସାହୁ ସୂଚନା ଦେଇଥିଲେ ଯେ ଏହି ମୋବାଇଲ୍‌ ଆପ୍ଲିକେସନ୍‌ ନିମନ୍ତେ ଇଣ୍ଟରନେଟ୍‌ର ଆବଶ୍ୟକତା ପଡ଼ିବ ନାହିଁ ଏବଂ ସମୁଦ୍ର ମଧ୍ୟରେ ଅଫ୍‌-ଲାଇନ୍‌ରେ ଏହା କାର୍ଯ୍ୟ କରିବ। ଏହା ଦ୍ୱାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳଠାରୁ ଦୂରେଇ ରହିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ଏହି ଆପ୍‌ରୁ ସତର୍କ ସୂଚନା ମିଳିପାରିବ। ଫଳରେ ଅଜାଣତରେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ଦଣ୍ଡବିଧାନଜନିତ ଅପି୍ରତିକର ପରିସ୍ଥିତିରୁ ମତ୍ସ୍ୟଜୀବୀ ବଞ୍ଚିପାରିବେ। ପ୍ରକୃତିପ୍ରେମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ ଓ ଦୃଢ଼ ନେତୃତ୍ୱ ଯୋଗୁଁ ମତ୍ସ୍ୟ ସଂପଦ ବିକାଶ କ୍ଷେତ୍ରରେ ଓଡ଼ିଶା ଏକ ନୂତନ ଶିଖରରେ ପହଞ୍ଚିପାରିବା ସହ ମାଛ ଉତ୍ପାଦନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ଆଜି ଚତୁର୍ଥ ସ୍ଥାନରେ ପହଞ୍ଚିପାରିଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଥିଲେ।

ଏମ୍‌ଏସ୍‌ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ ସହଯୋଗରେ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଉନ୍ନତ ପ୍ରଯୁକ୍ତି ବିଦ୍ୟାଯୁକ୍ତ ଏହି ‘ଫିସର ଫ୍ରେଣ୍ଡ ମୋବାଇଲ୍‌ ଆପ୍ଲିକେସନ୍‌’ ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବା ସହିତ ଏହି ମୋବାଇଲ୍‌ ଆପ୍‌ ପାଣିପାଗ ସଂପର୍କିତ ଆଗୁଆ ସୂଚନା, ସମ୍ଭାବ୍ୟ ମାଛ ମିଳିବା ସ୍ଥାନ, ସାମୁଦ୍ରିକ ସ୍ଥିତିର ପୂର୍ବାନୁମାନ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଓ ଅନ୍ୟ ବିପର୍ଯ୍ୟୟ ସୂଚନା ଆଦି ପ୍ରଦାନ କରୁଥିବାରୁ ମନ୍ତ୍ରୀ ଡ. ସାହୁ ଏହାକୁ ନାଭିଗେଟର ସହ ତୁଳନା କରିଛନ୍ତି। ଏହି ଆପ୍‌ ଦ୍ୱାରା ସଂପୃକ୍ତ ୧.୫୦ ଲକ୍ଷ ସକି୍ରୟ ସାମୁଦି୍ରକ ମତ୍ସ୍ୟଜୀବୀ ଉପକୃତ ହେବେ। ମତ୍ସ୍ୟଜୀବୀମାନଙ୍କ ବ୍ୟତୀତ ସଂପୃକ୍ତ ବନବିଭାଗ କର୍ମଚାରୀମାନେ ମଧ୍ୟ ଏହି ଆପ୍‌କୁ ବ୍ୟବହାର କରିବା ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଆର୍‌. ରଘୁପ୍ରସାଦ, ମତ୍ସ୍ୟ ବିଭାଗ ନିର୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନ, ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦେଶକ (ବୈଷୟିକ) ଦେବାନନ୍ଦ ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.