ଆସନ୍ତା ସପ୍ତାହରେ ଅଗ୍ନି ପ୍ରାଇମ୍‍ କ୍ଷେପଣାସ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ଆସନ୍ତା ସପ୍ତାହରେ ଅଗ୍ନି ପ୍ରାଇମ୍‍ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। କୋଭିଡ-୧୯ର ଦ୍ୱିତୀୟ ଲହର ସମୟରେ ଜନସାଧାରଣଙ୍କ ଯାତାୟତ, ଉପକରଣ ଓ ଯନ୍ତ୍ରପାତି ପରିବହନ କ୍ଷେତ୍ରରେ କଟକଣା ରହିଥିବାବେଳେ ଡିଆରଡିଓ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପାଗ ପରିସ୍ଥିତି ଠିକ୍‍ ରହିଲେ ଏହାକୁ ସମ୍ଭବତଃ ସୋମବାର ପରୀକ୍ଷା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ଅଗ୍ନି-୧ ଶ୍ରେଣୀର ସଂପୂର୍ଣ୍ଣ ନୂତନ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦୀ କ୍ଷମତା ୧ହଜାରୁ ୧୫୦୦ କିଲୋମିଟର ମଧ୍ୟରେ ରହିଛି। ଏହା ଅଗ୍ନିର ପୂର୍ବ କ୍ଷେପଣାସ୍ତ୍ରଗୁଡିକ ତୁଳନାରେ ହାଲୁକା ହୋଇଛି ଏବଂ ଏହା ଦୁଇ ପଯ୍ୟାଁୟ ବିଶିଷ୍ଟ କଠିନ ଇନ୍ଧନରେ ପରିଚାଳିତ କ୍ଷେପଣାସ୍ତ୍ର। ଏହାକୁ ଉଭୟ ସଡକ ଓ ରେଳ ମୋବାଇଲ ଲଞ୍ଚରରୁ ନିକ୍ଷେପ କରାଯାଇପାରିବ।

Comments are closed.