ନାଗରିକତା ସଂଶୋଧନ ବିଲ୍‌କୁ ଉତ୍ତର-ପୂର୍ବାଞ୍ଚଳ ଭାରତରେ କଡ଼ା ବିରୋଧ, ଆଜି ୧୧ ଘଣ୍ଟା ବନ୍ଦ ପାଳନ

ଗୁଆହାଟୀ: ନାଗିରିକତା ସଂଶୋଧନ ବିଲ୍‌କୁ ଉତ୍ତର-ପୂର୍ବାଞ୍ଚଳ ଭାରତରେ କଡ଼ା ବିରୋଧ କରାଯାଇଛି। ଏହି ବିଲ୍‌ ପ୍ରତିବାଦରେ ମଙ୍ଗଳବାର ଉତ୍ତର-ପୂର୍ବାଞ୍ଚଳ ଭାରତରେ ୧୧ ଘଣ୍ଟା ବନ୍ଦ ପାଳନ କରାଯାଉଛି। ପୂର୍ବାଞ୍ଚଳ ଛାତ୍ର ସଂଗଠନ(ଏନଇଏସଓ) ପକ୍ଷରୁ ଭୋର ୫ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଛି। ଏହାକୁ ବହୁ ସଂଗଠନ ଏବଂ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ପୂର୍ବ ଭାରତର ବିଭିନ୍ନ ରାଜ୍ୟରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ଲୋକମାନେ ସ୍ବତ୍ତଃପ୍ରବୃତ ଭାବେ ବନ୍ଦକୁ ସମର୍ଥନ କରିବା ସହିତ ଅନେକ ସ୍ଥାନରେ ଟାୟାର ଜାଳି ରାସ୍ତାରୋକୋ କରାଯାଇଛି। ଆସାମ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରମ ଏବଂ ତ୍ରିପୁରାରେ ବନ୍ଦ ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। କୌଣସି ସ୍ଥାନରେ ହିଂସା ସୃଷ୍ଟି ହେବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।  ନାଗାଲାଣ୍ଡରେ ହର୍ନବିଲ୍‌ ମହୋତ୍ସବ ଚାଲିଥିବାରୁ ଏହି ରାଜ୍ୟକୁ ବନ୍ଦ ପାଳନରୁ ବାଦ୍‌ ଦିଆଯାଇଛି।

କଂଗ୍ରେସ, ଏଆଇୟୁଡିଏଫ, ଅଲ ଆସାମ ଷ୍ଟୁଡେଣ୍ଟ୍‌ସ ୟୁନିୟନ, କୃଷକ ମୁକ୍ତି ସଂଗ୍ରାମ ସମିତି, ଅଲ ଅରୁଣାଚଳ ପ୍ରଦେଶ ଷ୍ଟୁଡେଣ୍ଟ୍‌ସ ୟୁନିୟନ, ଖାସୀ ଷ୍ଟୁଡେଣ୍ଟ୍‌ସ ୟୁନିୟନ ଏବଂ ନାଗା ଷ୍ଟୁଡେଣ୍ଟ୍‌ସ ଫେଡେରେଶନ ଭଳି ସଂଗଠନ ଏନଇଏସଓର ବନ୍ଦକୁ ସମର୍ଥନ କରିଛନ୍ତି। ଗୁଆହାଟୀ ବିଶ୍ଵବିଦ୍ୟାଳୟ ଏବଂ ଡବ୍ରୁଗଡ଼ ବିଶ୍ଵବିଦ୍ୟାଳୟରେ ବୁଧବାର ହେବାକୁ ଥିବା ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏଭଳି ବିଭାଜନକାରୀ ବିଲ୍‌କୁ ସେ ସମସ୍ତ ପ୍ରକାର ପରିସ୍ଥିତିରେ ବିରୋଧ କରିବେ। ଅନ୍ୟପଟେ ନାଗରିକତା ବିଲ୍‌ ଏବଂ ୬ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟନା ପ୍ରଦାନ ଦାବିରେ ଅଲ୍‌ ମୋରାନ ଷ୍ଟୁଡେଣ୍ଟ୍‌ସ ୟୁନିୟନ(ଏଏମଏସୟୁ) ପକ୍ଷରୁ ମଙ୍ଗଳବାରଠାରୁ ୪୮ ଘଣ୍ଟା ଆସାମ ବନ୍ଦ ଡାକରା ଦିଆଯାଇଥିବାବେଳେ ପ୍ରଥମ ଦିନରେ ଅନେକ ଜିଲାରେ ଜନଜୀବନ ପ୍ରଭାବିତ ହୋଇଛି।

Comments are closed.