ପୁଣି ସାଧାରଣରେ ଦେଖାଦେଲେ କିମ୍ ଜଙ୍ଗ୍-ଉନ୍

ସିଓଲ: ଉତ୍ତର କୋରିଆର ଶାସନ ମୁଖ୍ୟ କିମ୍ ଜଙ୍ଗ୍-ଉନ୍ ପୁଣିଥରେ ସର୍ବସାଧାରଣରେ ଦେଖାଦେଇଛନ୍ତି। ରବିବାର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କିମ୍‌ ଏକ ସାମରିକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଦେଶର ଆଣବିକ ଯୁଦ୍ଧ କ୍ଷମତା ଆହୁରି ବୃଦ୍ଧି କରିବାକୁ ନୂତନ ନୀତି ନିମନ୍ତେ ସେଣ୍ଟ୍ରାଲ୍ ମିଲିଟାରି କମିସନ୍ ଆୟୋଜନ କରିଥିବା ବୈଠକରେ କିମ୍ ଅଧ୍ୟକ୍ଷତା କରିଥିବା କୋରିଆନ୍ ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି ରିପୋର୍ଟରେ ପ୍ରକାଶ ପାଇଛି। ବୈଠକରେ କି ପ୍ରକାରର ଆଣବିକ ଅସ୍ତ୍ର ନୀତି କଥା ଆଲୋଚନା କରାଯାଇଥିଲା ସେ ସମ୍ପର୍କରେ ରିପୋର୍ଟରେ କିଛି ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା କୁହାଯାଇଛି। କୋରିଆନ୍ ପିପୁଲସ୍‌ ଆର୍ମି କମାଣର ନିକ୍ଷେପ କ୍ଷମତା ବହୁଗୁଣ କରାଯିବ ବୋଲି ଏଥିରେ ଆଲୋଚନା ହୋଇଛି। ବୈଠକରେ ଆଲୋଚିତ ହୋଇଥିବା ସାମରିକ ନୀତି ସମ୍ପର୍କୀୟ ସାତଟି ଆଦେଶରେ କିମ୍ ସ୍ବାକ୍ଷର କରି‌ଥିଲେ। କିମ୍‌ଙ୍କ ଅସୁସ୍ଥ ନେଇ ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇବା ପରେ ମେ ୧ରେ ସେ ପ୍ରଥମେ ସର୍ବସାଧାରଣରେ ଦେଖା ଦେଇଥିଲେ।

Comments are closed.