ଆଇପିଏଲ୍‌ରେ ପୁଣି ପଶିଲା କରୋନା : ନଟରାଜନ୍ ସଂକ୍ରମିତ, ଅନ୍ୟ ୬ ଜଣ ସଙ୍ଗରୋଧରେ

ଦୁବାଇ : ଆଇପିଏଲ୍‌ରେ ପୁଣିଥରେ କରୋନା ଆତଙ୍କ। ଆଇପିଏଲ୍‌ର ୨୦୨୧ ସଂସ୍କରଣ ଭାରତରେ ଖେଳା ଯାଇଥିବା ବେଳେ କିଛି ଖେଳାଳି କରୋନା ସଂକ୍ରମିତ ହେବା ଯୋଗୁଁ ମେ’ ୨ରେ ଏହାକୁ ସ୍ଥଗିତ ରଖା ଯାଇଥିଲା। ରବିବାରଠାରୁ ୟୁଏଇରେ ଆଇପିଏଲ୍‌-୧୪ର ବାକି ୩୧ଟି ମ୍ୟାଚ୍‌ ଆରମ୍ଭ ହୋଇଛି। ତେବେ ୩ ଦିନ ପରେ ୟୁଏଇରେ ପୁଣି ଜଣେ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି। ସେ ହେଉଛନ୍ତି ସନ୍‌ରାଇଜର୍ସ ହାଇଦରାବାଦର ବାମହାତି ପେସ୍ ବୋଲର ଟି. ନଟରାଜନ। ତାଙ୍କୁ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରଖାଯାଇଛି। ନଟରାଜନ୍‌ଙ୍କ ସହ ତାଙ୍କର ଅତି ନିକଟସ୍ଥ ହୋଇଥିବା ସନ୍‌ରାଇଜର୍ସର ଆଉ ୬ ଜଣ ସଦସ୍ୟଙ୍କୁ ମଧ୍ୟ ସଙ୍ଗରୋଧରେ ରଖାଯାଇଛି। ସେମାନେ ହେଲେ ଅଲ୍‌ରାଉଣ୍ଡର ବିଜୟ ଶଙ୍କର, ନେଟ୍‌ ବୋଲର ଜି. ପେରିୟାସ୍ବାମୀ, ଦଳ ପ୍ରବନ୍ଧକ ବିଜୟ କୁମାର, ଫିଜିଓ ଜେ. ଶ୍ୟାମସୁନ୍ଦର, ଡାକ୍ତର ଅଞ୍ଜନା ଭାନ୍ନନ ଓ ଯାତ୍ରା ପ୍ରବନ୍ଧକ ତୁଷାର ଖେଡ୍‌କର। ଏହାସତ୍ତ୍ବେ ବୁଧବାର ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ସନ୍‌ରାଇଜର୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଛି।
ନଟରାଜନ କରୋନା ସଂକ୍ରମିତ ହେବା କଥା ଜଣାପଡ଼ିବା ପରେ ଉପରୋକ୍ତ ୬ ଜଣଙ୍କ ସହ ଦଳର ବାକି ସମସ୍ତ ସଦସ୍ୟଙ୍କର ଭୋର୍ ୫ଟାରେ ଆର୍‌ଟି-ପିସିଆର୍ ପରୀକ୍ଷା କରା ଯାଇଥିଲା। ସମସ୍ତଙ୍କ ରିପୋର୍ଟ ନାସ୍ତିସୂଚକ ଆସିଛି। ତେଣୁ ନିର୍ଦ୍ଧାରିତ ଦିଲ୍ଲୀ-ସନ୍‌ରାଇଜର୍ସ ମ୍ୟାଚ୍‌ ଖେଳାଯିବାକୁ ବିସିସିଆଇ ସବୁଜ ସଙ୍କେତ ଦେଇଥିଲା। ଆଇପିଏଲ୍‌ ନିୟମ ଅନୁସାରେ ନଟରାଜନ୍ ୧୦ ଦିନ ସଂଗରୋଧରେ ରହିବେ। ୯ମ ଓ ୧୦ମ ଦିନ ତାଙ୍କର ୨ ଥର ଆର୍‌ଟି-ପିସିଆର୍ ପରୀକ୍ଷା କରାଯିବ। ଏହା ନାସ୍ତିସୂଚକ ଆସିଲେ ପୁଣି ସନ୍‌ରାଇଜର୍ସର ଜୈବ ନିରାପତ୍ତା ବଳୟରେ ନଟରାଜନ୍ ପ୍ରବେଶ କରିପାରିବେ। ନଟରାଜନଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ। କରୋନା ସଂକ୍ରମିତ ହେବାରେ ନଟରାଜନ ସନ୍‌ରାଇଜର୍ସର ଦ୍ବିତୀୟ କ୍ରିକେଟର। ଆଇପିଏଲ୍‌-୧୪ର ପ୍ରଥମଭାଗରେ ଋଦ୍ଧିମାନ ଶାହା ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ। ନଟରାଜନ୍ ୨ ପାନ କୋଭିଡ୍‌ ଟିକା ନେଇଛନ୍ତି। ଏବେ ଆଇପିଏଲ୍‌ ଆୟୋଜକ ବିସିସିଆଇ ଆଶାରଖିଛି ଯେ ଆଉ କେହି କରୋନା ସଂକ୍ରମିତ ନହୁଅନ୍ତୁ। ଏପରିହେଲେ ୨ୟ ଚରଣକୁ ବାତିଲ କରିବାକୁ ପଡ଼ିପାରେ। ପୁଣି ଆଇସିସି ମଧ୍ୟ ଆଇପିଏଲ୍‌ ଉପରେ ନଜର ରଖିଛି। ଆଇପିଏଲ୍‌ ସରିବାର ୨ ଦିନ ପରେ ଅକ୍ଟୋବର ୧୭ରୁ ୟୁଏଇରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଆୟୋଜନ ହେବ।

Comments are closed.