ମଧ୍ୟସ୍ଥ ଠିକ୍‌ ହେଲେ ଅପହୃତ ଯବାନଙ୍କୁ ଛାଡ଼ିବୁ: ମାଓବାଦୀ

ନୂଆଦିଲ୍ଲୀ: ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଶନିବାର ହୋଇଥିବା ସଂଘର୍ଷରେ ୪ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଏକ ପ୍ରେସ୍‌ ନୋଟ ଜରିଆରେ ମାଓବାଦୀମାନେ ପ୍ରକାଶ କରିଛନ୍ତି। ସେମାନେ ହେଲେ ପିଲେଜି. ଏ ମାଓ ସଙ୍ଗଠନର ଓଡି ଶନି, ପଦ୍ମ ଲଖମ, ନୁପା ସୁରେଶ, କବାସୀ ବୁଦୁରୁ। ଏହି ଘଟଣାରେ ସେମାନେ ୧୪ଟି ବନ୍ଧୁକ ଓ ଦୁଇ ହଜାରରୁ ଅଧିକ କାରତୁସ୍‌ ଲୁଟି ନେଇଥିବା ସ୍ବୀକାର କରିଛନ୍ତି। ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟି ପ୍ରବକ୍ତା ବିକଳ୍ପ ଏହି ପ୍ରେସ୍‌ ନୋଟ୍‌ ଜାରି କରିଥିବା ଜଣାପଡ଼ିଛି। ଲୁଟି ଥିବା ଅସ୍ତ୍ରଶସ୍ତ୍ରର ଫଟୋ ସେମାନେ ଜାରି କରିଛନ୍ତି। ଆଲୋଚନା ପାଇଁ ସରକାର ମଧ୍ୟସ୍ଥ ଠିକ୍‌ କଲେ ସେମାନଙ୍କ ନିୟନ୍ତ୍ରଣରେ ଥିବା ଯବାନ ରାକେଶ୍ବରୁଙ୍କୁ ଛାଡ଼ି ଦେବେ ବୋଲି ମାଓବାଦୀମାନେ କହିଛନ୍ତି। ଅପରେସନ ପ୍ରହାର ନାମରେ ମାଓବାଦୀ ଦମନ ବନ୍ଦ ନ କଲେ ପରିସ୍ଥିତି ଆହୁରି ଭୟଙ୍କର ରୂପ ନେବ ବୋଲି ମାଓବାଦୀମାନେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ମାଓବାଦୀଙ୍କ କବ୍‌ଜାରୁ ଆମେ ରାକେଶ୍ବରଙ୍କୁ ତୁରନ୍ତ ମୁକୁଳାଇ ଆଣିବୁ ବୋଲି ସିଆରପିଏଫ ମହାନିର୍ଦେଶକ କୁଳଦୀପ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ମାଓବାଦୀ ସଂଗଠନ ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥ ଭୂମିକା ନିର୍ବାହ କରୁଥିବା ସାମ୍ବାଦିକ ଶୁଭ୍ରାଂଶୁ ଚୌଧୁରୀଙ୍କ ଉପରେ ମାଓବାଦୀମାନେ କ୍ଷୁବ୍ଧ ଥିବା ଜଣାପଡ଼ିଛି। ଶୁଭ୍ରାଂଶଙ୍କୁ ମାଓବାଦୀମାନେ ସରକାରଙ୍କ ଦଲାଲ ବୋଲି ଏକ ପତ୍ର ମାଧ୍ୟମରେ କହିଛନ୍ତି। ଶନିବାର ଛତିଶଗଡ଼ ବିଜେପୁର ଜିଲାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟି ୨୩ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ଜଗଦଳପୁରସ୍ଥିତ ସିଆରପିଏଫ ଶିବିରରେ ପହଞ୍ଚି ଆହତ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଖୁବ୍‌ ଶୀଘ୍ର ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ। ପରେ ମାଓବାଦୀମାନେ ଏକ ଚିଠି ମାଧ୍ୟରେ ଗୃହ ମନ୍ତ୍ରୀ କାହା ବିରୋଧରେ ପ୍ରତିଶୋଧ ନେବେ ବୋଲି ପ୍ରଶ୍ନ କରିଥିଲେ।

ଏହି ଚିଠିରେ ମାଓବାଦୀମାନେ ଶୁଭ୍ରାଂଶୁଙ୍କୁ ସାମାଜିକ କର୍ମୀ ବଦଳରେ ସରକାରଙ୍କ ଦଲାଲ ବୋଲି ଉଲ୍ଲେଖ କରିଛନ୍ତି। ମାଓବାଦୀମାନେ ପ୍ରଥମେ ହିଂସା ଛାଡ଼ିଲେ ଆଲୋଚନା କଥା ଚିନ୍ତା କରାଯିବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପୂର୍ବରୁ କହିଥିଲେ। ୧୯୯୦ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଶୁଭ୍ରାଂଶୁ ଏବେ ଛତିଶଗଡ଼ ମାଓ ପ୍ରଭାବିତ ଅଞ୍ଚଳରେ ରିପୋର୍ଟିଂ କରୁଛନ୍ତି। ସରକାର ଓ ମାଓବାଦୀଙ୍କ ମଧ୍ୟରେ ମଧ୍ୟସ୍ଥ ଭୂମିକା ତୁଲାଉଥିବା ସେ ସ୍ବୀକାର କରିଛନ୍ତି। ଛତିଶଗଡ଼ର ବସ୍ତର ଅଞ୍ଚଳରେ ଏବେ ଯେପରି ପରିସ୍ଥିତି ସୃଷ୍ଟି ହୋଇଛି ତାହା ତୁରନ୍ତ ସମାଧାନ ନହେଲେ ଏହି ଅଞ୍ଚଳ ଦ୍ବିତୀୟ ଆଫଗାନିସ୍ତାନର ରୂପ ନେଇ ପାରେ ବୋଲି ସେ କହିଛନ୍ତି। ଗତ ଦୁଇ ବର୍ଷ ହେଲା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ମଧ୍ୟସ୍ଥ ଭୂମିକା ତୁଲାଇ ଆସୁଛନ୍ତି। ଆଲୋଚନାକୁ ନେଇ ସରକାର ଓ ମାଓବାଦୀ ସଂଗଠନ ଉଭୟେ ଗମ୍ଭୀର ନଥିବା ସେ କହିଛନ୍ତି। ବର୍ଷକ ପୂର୍ବେ ଶୁଭ୍ରାଂଶୁ ମାଓବାଦୀଙ୍କୁ ମିତ୍ର ବୋଲି ସମ୍ବୋଧନ କରିଥିଲେ । ଏବେ ମାଓବାଦୀମାନେ କାହିଁକି ତାଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ତାହା ଜଣାପଡ଼ି ନାହିଁ।

ନିଖୋଜ ଥିବା ଜାମ୍ମୁୁ ଓ କାଶ୍ମୀରର ଯବାନ ରାକେଶ୍ବର ସିଂହ ମନହାସ ସେମାନଙ୍କ କବଳରେ ଥିବା ମାଓବାଦୀମାନେ ଦାବି କରିଛନ୍ତି। ରାକେଶ୍ବର ସେମାନଙ୍କ ନିକଟରେ ସମ୍ପୂର୍ଣ୍ଣ ସୁରକ୍ଷା ବଳୟ ମଧ୍ୟରେ ଅଛନ୍ତି। ସମୟ ଆସିଲେ ତାଙ୍କୁ ଛାଡ଼ି ଦିଆଯିବ ବୋଲି ରବିବାର ଅପରାହ୍ଣରେ ଦକ୍ଷିଣବସ୍ତର ମାଓବାଦୀ ସଂଗଠନ ପକ୍ଷରୁ କୁହାଯାଇଥିଲା। ରାକେଶ୍ବରଙ୍କ ମୁକ୍ତି ପାଇଁ ତାଙ୍କ ୫ ବର୍ଷର ଝିଅ ଓ ପରିବାରବର୍ଗ ସରକାରଙ୍କୁ ଆକୁୁଳ ନିବେଦନ କରିଛନ୍ତି।

Comments are closed.