ଟି୨୦ ବିଶ୍ବକପ୍‌ : ସ୍କଟ୍‌ଲାଣ୍ଡ ବିକ୍ଷରେ ଆଫ୍‌ଗାନିସ୍ତାନର ବିପୁଳ ବିଜୟ

ନଜିବୁଲ୍ଲାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ; ମୁଜିବ୍ ଓ ରସିଦ୍‌ଙ୍କ ଘାତକ ବୋଲିଂ

ଶାରଜା : ‌ଟ୍ବେଣ୍ଟି୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ସୋମବାର ଆଫ୍‌ଗାନିସ୍ତାନ ବିପୁଳ ବିଜୟ ହାସଲ କରିଛି। ଗ୍ରୁପ୍‌-୨ର ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡକୁ ୧୩୦ ରନ୍‌ରେ ପରାସ୍ତକରି ଆଫ୍‌ଗାନିସ୍ତାନ ୨ ପଏଣ୍ଟ ପାଇଛି। ନଜିବୁଲ୍ଲା ଜାଦ୍ରାନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ହଜ୍ରତୁଲ୍ଲା ଜାଜାଇ ଓ ରହମତୁଲ୍ଲା ଗୁର୍‌ବାଜଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଆଫ୍‌ଗାନିସ୍ତାନ ୨୦ ଓଭରରେ ୪ ୱିକେଟରେ ୧୯୦ ରନ୍‌ କରିଥିଲା। ଚଳିତ ବିଶ୍ବକପ୍‌ରେ ଅଦ୍ୟାବଧି ଏହା ସର୍ବାଧିକ ଦଳଗତ ସ୍କୋର୍‌। ପରେ ଆଫ୍‌ଗାନିସ୍ତାନର ଦୁଇ ସ୍ପିନର ମୁଜିବ୍ ଉର୍ ରେହ୍‌ମାନ ୫ଟି ଓ ରସିଦ୍ ଖାଁ ୪ଟି ୱିକେଟ ନେବାରୁ ସ୍କଟ୍‌ଲାଣ୍ଡ ୧୦.୨ ଓଭରରେ ୬୦ ରନ୍‌ରେ ଅଲ୍‌ଆଉଟ ହୋଇ ଯାଇଥିଲା।
ପ୍ରଥମ ରାଉଣ୍ଡରେ ୩ଟିଯାକ ମ୍ୟାଚ୍‌ ଜିତି ସୁପର-୧୨ରେ ପ୍ରବେଶ କରିଥିବା ସ୍କଟ୍‌ଲାଣ୍ଡ ଦୟନୀୟ ଭାବେ ୧୯୧ ରନ୍‌ର ପିଛା ଆରମ୍ଭ କରିଥିଲା। ମାତ୍ର ୪୫ ରନ୍‌ ସ୍କୋର୍‌ରେ ସ୍କଟ୍‌ଲାଣ୍ଡ ୭ଟି ୱିକେଟ ହରାଇଥିଲା। ସ୍ପିନରଙ୍କ ମୁକାବିଲା କରିବାରେ ସ୍କଟ୍‌ଲାଣ୍ଡ ବ୍ୟାଟ୍‌ସମ୍ୟାନଙ୍କ ଦୁର୍ବଳତା ଦେଖିବାକୁ ମିଳିଥିଲା। ପ୍ରଥମ ୭ଟିରୁ ୫ଟି ୱିକେଟ ଅଫ୍‌ସ୍ପିନର ମୁଜିବ୍‌ ଉର୍ ରେହ୍‌ମାନ ନେଇଥିଲେ। ଅଧିନାୟକ କାଏଲ୍‌ କୋଏଜର ୧୦ ରନ୍‌କରି ଆଉଟ ହୋଇଥିବା ବେଳେ କାଲମ୍ ମ୍ୟାକ୍‌ଲଏଡ୍‌, ରିଚି ବେରିଂଟନ ଓ ମାଥ୍ୟୁ କ୍ରସ୍ ଖାତା ଖୋଲିବା ପୂର୍ବରୁ ପାଭିଲିଅନ୍‌କୁ ଫେରିଥିଲେ। ଭଲ ବ୍ୟାଟିଂ କରୁଥିବା ଓପ୍‌ନର ଜର୍ଜ ମନ୍‌ସି ୧୮ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୨୫ ରନ୍‌କରି ଆଉଟ ହୋଇଥିଲେ। ପରେ କ୍ରିସ୍ ଗ୍ରିଭ୍‌ସ (୧୨)ଙ୍କୁ ଆଉ ଛାଡ଼ି କେହି ଦୁଇଅଙ୍କ ବିଶିଷ୍ଟ ସ୍କୋର୍ କରି ପାରିନଥିଲେ। ମୁଜିବ୍‌ ୫ଟି ଓ ରସିଦ୍‌ ଖାଁ ୪ଟି ୱିକେଟ ନେଇଥିଲେ। ମୁଜିବ୍‌ ଉର୍ ରେହ୍‌ମାନ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଆଫ୍‌ଗାନିସ୍ତାନ ବ୍ୟାଟିଂ କରିଥିଲା। ଓପ୍‌ନିଂ ଯୋଡ଼ିରେ ୬ଷ୍ଠ ଓଭରରେ ଆଫ୍‌ଗାନିସ୍ତାନ ୫୪ ରନ୍‌ର ଭାଗିଦାରୀ କରିଥିଲା। ମହମ୍ମଦ ସେହ୍‌ଜାଦ୍ ୧୫ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୨ ରନ୍‌କରି ଆଉଟ ହୋଇଥିଲେ। ଅନ୍ୟ ଓପ୍‌ନର ହଜ୍ରତୁଲ୍ଲା ଜାଜାଇ ଦର୍ଶନୀୟ ଇନିଂସ ଖେଳି ୩୦ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୪ ରନ୍‌ କରିଥିଲେ। ୩ୟ ୱିକେଟ ପାଇଁ ରହମତୁଲ୍ଲା ଗୁର୍‌ବାଜ ଓ ନଜିବୁଲ୍ଲା ଜାଦ୍ରାନ୍ ଦ୍ରୁତ ୮୭ ରନ୍‌ ଯୋଗ କରିଥିଲେ। ଗୁର୍‌ବାଜ ୩୭ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୪୬ ରନ୍‌ର ପ୍ରଭାବଶାଳୀ ଇନିଂସ ଖେଳିଥିଲେ। ସବୁଠାରୁ ବିସ୍ଫୋରକ ବ୍ୟାଟିଂ କରିଥିବା ନଜିବୁଲ୍ଲା ଜାଦ୍ରାନ୍ ୩୪ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୫୯ ରନ୍‌କରି ଇନିଂସର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ଅଧିନାୟକ ମହମ୍ମଦ ନବି ୪ଟି ବଲ୍‌ରୁ ୨ଟି ଚୌକା ସହ ୧୧ ରନ୍‌କରି ଅପରାଜିତ ଥିଲେ। ସାଫିୟାଁ ସରିଫ୍ ୨ଟି ୱିକେଟ ନେଇଥିଲେ।

Comments are closed.