ଆଲୋଚନା ପାଇଁ ଆମେରିକାର ତାଲିବାନ୍‍କୁ ସ୍ୱୀକୃତି

ଆଫଗାନିସ୍ତାନରୁ ଅଗଷ୍ଟ ମାସରେ ସୈନ୍ୟ ପ୍ରତ୍ୟାହାର କରିନେବା ପରେ ପ୍ରଥମ ଥରପାଇଁ ଆମେରିକାର ଅଧିକାରୀମାନେ ଶାସକ ତାଲିବାନ୍‍ ପ୍ରତିନିଧିମାନଙ୍କ ସହ ପ୍ରଥମ ଥରପାଇଁ କଥାବାର୍ତ୍ତା କରିବେ। କାତାର୍‍ଠାରେ ଅନୁଷ୍ଠିତ ହୋଇଥିବା ଏହି କଥାବାର୍ତ୍ତାରେ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକୁ ନିୟନ୍ତ୍ରଣ କରିବା, ଆମେରିକୀୟ ନାଗରିକମାନଙ୍କୁ ସ୍ଥାନାନ୍ତରଣ ଓ ମାନବୀୟ ସହାୟତାଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି। ଏହି କଥାବାର୍ତ୍ତା ଅନୁଷ୍ଠିତ ହେବାଦ୍ୱାରା ତାଲିବାନ୍‍କୁ ଆମେରିକା ସ୍ୱୀକୃତି ଦେଇଛି ବୋଲି ଭାବିବା ଉଚିତ ନୁହେଁ ବୋଲି ୱାଶିଂଟନ୍‍ ପକ୍ଷରୁ ସତର୍କ କରାଯାଇଛି। ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବା ପରେ ଆଫଗାନିସ୍ତାନ ଉପରେ ଭୟଙ୍କର ବୋମା ବିସ୍ଫୋରଣର ଗୋଟିଏ ଦିନ ପରେ ଏହି କଥାବାର୍ତ୍ତା ଅନୁଷ୍ଠିତ ହୋଇଛି। ଉତ୍ତରାଞ୍ଚଳ କୁନ୍ଦୁଜ୍‍ ନଗରୀର ଏକ ମସ୍‍ଜିଦ୍‍ ଭିତରେ ଘଟିଥିବା
ସେହି ଆତ୍ମଘାତୀ ବୋମା ବିସ୍ଫୋରଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଶହେରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛନ୍ତି। ଆମେରିକା ସହ କଥାବାର୍ତ୍ତା ପରେ ତାଲିବାନ୍‍ ପକ୍ଷରୁ ନିଯୁକ୍ତ ବୈଦେଶିକ ମନ୍ତ୍ରୀ ଅମୀର୍‍ ଖାଁ ମୁତାକି କହିଛନ୍ତି, ୨୦୨୦ ମସିହାରେ ଦୋହାଠାରେ ସ୍ୱାକ୍ଷରିତ ରାଜିନାମାକୁ ଅକ୍ଷରେ ଅକ୍ଷରେ ପାଳନ କରିବାପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି।

 

ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଥିବା ଅଲ୍‍- କାଏଦା ଆତଙ୍କବାଦୀ ସଙ୍ଗଠନକୁ ବାରଣ କରିବାପାଇଁ ତାଲିବାନ୍‍ ତା’ର ପ୍ରତିଶ୍ରୁତିବଦ୍ଧତା ପାଳନ କରିବ ବୋଲି ଏହି ରାଜିନାମାରେ ଉଲ୍ଲେଖ ରହିଛି। କିନ୍ତୁ ଗତକାଲି ଅନୁଷ୍ଠିତ ଏହି କଥାବାର୍ତ୍ତା ସଂକ୍ରାନ୍ତରେ ଆମେରିକା ପକ୍ଷରୁ ସବିଶେଷ ଭାବରେ କିଛି ସୂଚନା ଦିଆଯାଇ ନାହିଁ।

Comments are closed.