ମୁକ୍ତିଲାଭ ପୂର୍ବରୁ ହିଁ ଯାଦୁ ଦେଖାଇଲା ‘ବେଲ୍‌ ବଟମ୍‌’: ଫୁଲ୍‌ ହେଲା ଆଡ଼ଭାନ୍ସ ବୁକିଂ

ମୁମ୍ବଇ: ଅକ୍ଷୟ କୁମାର ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବେଲ୍‌ ବଟମ୍‌’କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି। ତେବେ ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଅଗଷ୍ଟ ୧୯ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଏହି ଚଳଚ୍ଚିତ୍ର। କରୋନା ମହାମରୀ ଯୋଗୁ ସମସ୍ତ ରାଜ୍ୟରେ ସିନେମାହଲ୍‌ ଖୋଲିବା ପାଇଁ ଅନୁମତି ମିଳିନାହିଁ । ତଥାପି ଯେଉଁ ରାଜ୍ୟରେ କରୋନା କଟକଣାରେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମାହଲ୍‌ ଖୋଲାଯିବା ପାଇଁ ନିଷ୍ପତି ନିଆଯାଇଛି ସେଠାରେ ଏହି ଚଳଚ୍ଚିତ୍ରକୁ ଲୋକେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ସୂଚନା ମୁତାବକ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଅହମ୍ମଦାବାଦ ଭଳି ସହରରେ ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଫୁଲ୍‌ ହୋଇଯାଇଛି । ବର୍ତ୍ତମାନ ଅଧିକାଂଶ ସହରରେ ୫୦ ପ୍ରତିଶତ ଦର୍ଶକରେ ସିନେମାହଲ୍‌ ଖୋଲିବାକୁ ଅନୁମତି ମିଳିଥିବାରୁ ଏହି ସମୟରେ ଫିଲ୍ମକୁ କ୍ଷତି ସହିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଅକ୍ଷୟ କିନ୍ତୁ ଫିଲ୍ମର ସଫଳତା ନେଇ ଦୃଢ଼ ଆଶାୟୀ ଅଛନ୍ତି।

ସୂଚନାଯୋଗ୍ୟ, ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବ୍ୟତୀତ ବାଣୀ କାପୁର, ଲାରା ଦତ୍ତା ଓ ହୁମା କ୍ୟୁରେଶୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

Comments are closed.