ବନ୍ୟା ନିୟନ୍ତ୍ରଣ ଓ ପରିଚାଳନାରେ ପ୍ରଶାସନ ବିଫଳ : ନିଶିକାନ୍ତ

ପିପିଲି : ଦୟା, ଭାର୍ଗବୀ ଓ ଲୁଣା ଆଦି ନଦୀରେ ବନ୍ୟା ଯୋଗୁଁ ପିପିଲି ଓ ଡେଲାଙ୍ଗ ବ୍ଳକର ଶତାଧିକ ଗ୍ରାମର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ବିଭିନ୍ନ ନଦୀବନ୍ଧରେ ଘଳିଆ ପଡିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପ୍ରଶାସନ ଓ ଜଳସଂପଦ ବିଭାଗର ‘ବାହାଘର ବେଳେ ବାଇଗଣ ରୁଆ’ ନୀତି ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗିବା ସହ ଘରଦ୍ୱାର ଛାଡି ଖୋଲା ଆକାଶ ତଳେ ଓ ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି ।
ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ବନ୍ୟାର ସ୍ଥାୟୀ ନିୟନ୍ତ୍ରଣ ପାଇଁ ଶାସକଦଳ ନେତା କିଛି କରିନାହାନ୍ତି ବୋଲି ଶ୍ରୀମିଶ୍ର ଗୁରୁତର ଅଭିଯୋଗ କରିଛନ୍ତି । ଦୟାନଦୀରେ ଜଳସ୍ତର ବଢିବା ମାତ୍ରେ ୪ଟି ପଞ୍ଚାୟତରେ ବନ୍ୟାଜଳ ମାଡିଯାଇ ଶହ ଶହ ହେକ୍ଟର ଚାଷଜମିକୁ ନଷ୍ଟ କରୁଛି । ଚଳିତ ବନ୍ୟାରେ ଚାଷଜମି ବ୍ୟତୀତ ଘରଦ୍ୱାର, ଧାନଚାଉଳ, ଆସବାବପତ୍ର, ପିଲାଙ୍କ ବହି, ସାର୍ଟିଫିକେଟ୍‍ ଓ ବିଭିନ୍ନ ଦରକାରୀ କାଗଜପତ୍ର ମଧ୍ୟ ନଷ୍ଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପିପିଲିର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଓ ନଦୀବନ୍ଧର ଘଳିଆ ସ୍ଥାନକୁ ଶ୍ରୀ ମିଶ୍ର ପରିଦର୍ଶନ କରିଥିଲେ। ବନ୍ୟା ପୂର୍ବରୁ କାହିଁକି ନଦୀବନ୍ଧର ଦୁର୍ବଳ ସ୍ଥାନକୁ ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ପ୍ରତିକାର ବ୍ୟବସ୍ଥା କରାଗଲା ନାହିଁ ଏବଂ ଏପର୍ଯ୍ୟନ୍ତ ଆଡିବନ୍ଧ ନିର୍ମାଣ କରାନଯିବାର କାରଣ କ’ଣ ବୋଲି ସେ ବିଭାଗୀୟ ଯନ୍ତ୍ରୀଙ୍କୁ ପ୍ରଶ୍ନ କରିବା ସହ ଏସଂପର୍କରେ ଉଚ୍ଚ ଅଧିକାରୀଙ୍କ ସହ ଫୋନରେ କଥା ହୋଇଥିଲେ । ବନ୍ୟା ପୂର୍ବ ପ୍ରସ୍ତୁତି, ପରବର୍ତ୍ତୀ ରିଲିଫ୍‍ ପ୍ରଦାନ ଓ ଥଇଥାନ କାର୍ଯ୍ୟରେ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ଶ୍ରୀ ମିଶ୍ର ଗୁରୁତର ଅଭିଯୋଗ କରିଛନ୍ତି ।

Comments are closed.