ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀ-ସୁସଜ୍ଜିତ ସାଜସଜ୍ଜା ଦର୍ଶକଙ୍କ ଉତ୍ସାହକୁ ବହୁଗୁଣିତ କରୁଛି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଅପ୍ରେଲ ୨୩ ତାରିଖଠାରୁ ସ୍ଥାନୀୟ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଆଜି ଥିଲା ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀର ସପ୍ତମ ସନ୍ଧ୍ୟା । ମେଳା ଖବର ଯେତେ ପ୍ରସାରିତ ହେଉଛି ଲୋକଙ୍କ ମେଳାକୁ ଆସିବା ପାଇଁ ସେତେ ଆଗ୍ରହ ପରିଲକ୍ଷିତ ହୋଇଛି । ସୁସଜ୍ଜିତ ସାଜସଜ୍ଜା ମଧ୍ୟରେ ମେଳାରେ ଦର୍ଶକମାନଙ୍କ ଉତ୍ସାହ ବହୁଗୁଣିତ ହୋଇଯାଉଛି । ବିଶେଷ କରି ଛୋଟ ଛୋଟ ପିଲାମାନଙ୍କ ଜିଜ୍ଞାସାର ପୂର୍ତ୍ତି ପାଇଁ ଅନେକ ବାପାମା ରୀତିମତ ମେଳା ଅନୁଭୂତି ବଖାଣୁଛନ୍ତି ତାଙ୍କ ପିଲାଙ୍କ ପାଖରେ ମେଳା ପଡ଼ିଆ ସତେ ଯେପରି ଏକ ପାଠଶାଳା । ଶୃଙ୍ଖଳିତ ମେଳାର ଆଜି ସନ୍ଧ୍ୟାରେ ଜନଜାତି ହାଟରେ ଲୋକଙ୍କ ବେଶ୍‌ ଗହଳି ପରିଲକ୍ଷିତ ହୋଇଥିଲା । ଏ ବର୍ଷ ଖାଦ୍ୟ ପସରା ଖୋଲି ନଥିବାରୁ ଲୋକଙ୍କ ନିରାଶା ଭାବ ଥିଲେ ମଧ୍ୟ ରାଶିଲଡ଼ୁ, ବାଦାମ ଲଡ଼ୁ, ମୁଆ ଲଡ଼ୁ, ଖସ୍‌କା, ଖଜୁରୀ ପିଠା, ସାରୁ ଚିପ୍‌ସ, କନ୍ଦମୂଳ ଚିପ୍‌ସ, ବାଉଁଶ କରଡ଼ି ଆଚାର ଇତ୍ୟାଦି ଖାଦ୍ୟ କିଣିବାରେ ଖୁବ୍‌ ଆଗ୍ରହୀ ଥିଲେ ଲୋକମାନେ ।

ଗତକାଲି ସୁଦ୍ଧା ମେଳାରେ ପ୍ରାୟ ଦୁଇକୋଟି ଟଙ୍କାର ବ୍ୟବସାୟ ହୋଇଥିବାର ମେଳା କର୍ତ୍ତୃପକ୍ଷଙ୍କ ପାଖରୁ ପ୍ରକାଶ । ଆଜିର ଜନଜାତି ନୃତ୍ୟରେ ବଣାଇଁ ଅଞ୍ଚଳରୁ ଆସିଥିବା ମୁଣ୍ଡାରୀ ଏବଂ କିସାନ୍‌ମାନଙ୍କ ନୃତ୍ୟରେ ମୌଳିକତା ପ୍ରଦର୍ଶିତ ହୋଇଥିଲା । ଓଡ଼ିଶା ଓ ଝାଡ଼ଖଣ୍ଡ ଶୈଳୀର ମିଳିତ ରୂପ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା । ସେହିପରି କେନ୍ଦୁଝରର ସାନ୍ତାଳ ଓ ହୋ ଜନଜାତିମାନଙ୍କ ନୃତ୍ୟଶୈଳୀ ପାରମ୍ପରିକ ହୋଇ ବି ଦର୍ଶକଙ୍କୁ ଭରପୂର ଉତ୍ସାହ ଦେଇଥିଲା । ସବୁଠୁ ବେଶ୍‌ ଆକର୍ଷଣୀୟ ଥିଲା କଳାହାଣ୍ଡିରୁ ଆସିଥିବା ଘୁମୁରା ଓ ଢାପ ନୃତ୍ୟ ପ୍ରଦର୍ଶନ । ଘୁମୁରାରେ ପାରମ୍ପରିକ ଛଟା ଥିଲେ ମଧ୍ୟ ଦର୍ଶକମାନେ ଢାପ ନୃତ୍ୟରେ ଝୁମିଥିଲେ । କଳାହାଣ୍ଡିର ଏକ ଲୋକନୃତ୍ୟ ଭାବରେ ଢାପ ଦେଶବିଦେଶରେ ଖୁବ୍‌ ପରିଚିତ । ଆଦିବାସୀ ପରମ୍ପରାରୁ ବାହାରି ଲୋକପରମ୍ପରାରେ ଏହାର ବିଶେଷ ପ୍ରସିଦ୍ଧି ରହିଛି । ସମଗ୍ର ମେଳା ଅଞ୍ଚଳକୁ ଆଜିର ଢାପ ନୃତ୍ୟ ପ୍ରକମ୍ପିତ କରି ଦର୍ଶକମାନଙ୍କୁ ନୂତନ ସ୍ୱାଦ ପରଶିଥିଲା ।
ଏ ଅବସରରେ ଏସସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀରେ ସ୍ୱକୀୟ ଜ୍ଞାନ ଆଧାରିତ କଳାସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରଙ୍କୁ ପୁରସ୍କୃତ କରିଥିଲେ । ବୟନକଳାରେ ତାମିଲନାଡୁର ଟୋଡା ବୟନକଳା ପ୍ରଥମ ହୋଇଥିବାବେଳେ ଓଡ଼ିଶାର କୁଲିସ୍‌ ବୟନକଳା ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ସେହିପରି ଚିତ୍ରକଳାରେ ଆନ୍ଧ୍ରପ୍ରଦେଶର ସବର ଚିତ୍ରକଳା ପ୍ରଥମ ଓ ରାଜସ୍ଥାନ ଭିଲ ଚିତ୍ରକଳା ଦ୍ୱିତୀୟ, ବାଉଁଶ କାରିଗରୀରେ କେରଳର କୁରୁମା ବାଉଁଶ କାରିଗରୀ ପ୍ରଥମ ଓ ଓଡ଼ିଶାର ମାଙ୍କିଡିଆ ଜନଜାତିଙ୍କ ଶିଆଳିକତାର କଳାସାମଗ୍ରୀ ଦ୍ୱିତୀୟ, ଲାଖ କଳାରେ ଓଡ଼ିଶାର ବାଥୁଡ଼ି ଓ ସାନ୍ତାଳ ଲାଖକଳା ପ୍ରଥମ ଓ ଅଳଙ୍କାରରେ ଝାରଖଣ୍ଡ ଓରାଓଙ୍କ ଅଳଙ୍କାର ଦ୍ୱିତୀୟ ପୁରସ୍କାର ପାଇଥିଲେ । ଏହି ମେଳା ପ୍ରତ୍ୟହ ଅପରାହ୍ଣ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଦର୍ଶକମାନଙ୍କ ନିମନ୍ତେ ଖୋଲା ରହୁଛି ।

Comments are closed.