ଆଦିନାଟ୍ୟକାର ଜଗମୋହନ ଲାଲଙ୍କ ୧୮୨ତମ ଜୟନ୍ତୀ ପାଳିତ

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଓ ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଆଦିନାଟ୍ୟକାର ଜଗମୋହନ ଲାଲଙ୍କ ୧୮୦ତମ ଜୟନ୍ତୀ ମାହାଙ୍ଗା ସ୍ଥିତ ଆଦିନାଟ୍ୟକାର ସ୍ମୃତିମଣ୍ଡପଠାରେ ବୁଧବାର ପାଳିତ ହୋଇଯାଇଛି। ମାହାଙ୍ଗା ସାହିତ୍ୟ-ସଂସ୍କୃତି ପରିଷଦର ସଭାପତି ଡକ୍ଟର ଭୁବନାନନ୍ଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ବିଭାଗ ମୁଖ୍ୟ ଭାଷାବିତ ଡକ୍ଟର ନଟବର ଶତପଥୀ ଯୋଗଦେଇ ଜଗମୋହନଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ, ରାଧାକାନ୍ତ ରଙ୍ଗମଞ୍ଚର ପୁନରୁଦ୍ଧାର, ବିଭିନ୍ନ ନାଟକ ମଞ୍ଚସ୍ଥ ଦ୍ୱାରା ତାଙ୍କର ଯଥାର୍ଥ ମୂଲ୍ୟାୟନ ହୋଇପାରିବ ବୋଲି ମତପୋଷଣ କରିଛନ୍ତି।

ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ନାଟ୍ୟକାର କୃତ୍ତିବାସ ନାୟକଙ୍କୁ ଅଙ୍ଗବସ୍ତ୍ର, ଉପାୟନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ‘ଆଦିନାଟ୍ୟକାର ସ୍ମୃତି ସମ୍ମାନ-୨୦୨୦’ ଅର୍ପଣ କରାଯାଇଥିଲା। ଏହି ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ସମାଜସେବିକା ଡକ୍ଟର ଜୟଶ୍ରୀ ନନ୍ଦ ଓ ମୁଖ୍ୟବକ୍ତା ଭାବେ ଗବେଷକ ଡକ୍ଟର ଜୟରାମ ସ୍ୱାଇଁ ଜଗମୋହନଙ୍କ କୃତିତ୍ୱର ପୂର୍ଣ୍ଣାଙ୍ଗ ଆଲୋଚନା କରିଥିଲେ।

ଆଦିନାଟ୍ୟକାରଙ୍କ ୧୮୨ତମ ଜୟନ୍ତୀ ଅବସରରେ ଅଭିନେତା ହୃଷିକେଶ ଲାଲ, ଗବେଷକ ଡକ୍ଟର ଏକାଦଶୀ ପ୍ରଧାନ, ରସରାଜ ବୀର କିଶୋର ସ୍ୱାଇଁ, ସାଂସ୍କୃତିକ ସମ୍ପାଦକ ଭୂପେନ ଚାଟାର୍ଜୀ,ସାହିତ୍ୟିକ ଡକ୍ଟର ବିଜୟ କୁମାର ରାଉତ, କବି ଗୌତମ ଚରଣ ଜେନା, ସହ-ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଉତ୍ସବ ଆରମ୍ଭରେ ଗୁରୁ ପଣ୍ଡିତ ବୈକୁଣ୍ଠ ପରିଡାଙ୍କ ତତ୍ୱାବଧାନରେ କପିଳ ମୁନି ସଙ୍ଗୀତ ବିଦ୍ୟାଳୟର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ସମ୍ପାଦକ ନାଟ୍ୟକାର ଭାବଗ୍ରାହୀ ଦାଶ ବିବରଣୀ ପାଠ କରିଥିବା ବେଳେ ପରିଷଦର ଉପସଭାପତି ବିଶେଶ୍ୱର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉତ୍ସବରେ କବି ରାଜକିଶୋର ମିଶ୍ର, କବି ନରେନ୍ଦ୍ର ପରିଡା, କବି ମନୋଜ ମହାପାତ୍ର, ଭାରତ ଭୂଷଣ ପଟ୍ଟନାୟକ, ସମରେନ୍ଦ୍ର ସାହୁ, ସଙ୍ଗୀତ ନାଟକ ଏକାଡେମୀର ଦେବେନ୍ଦ୍ର ମହାପାତ୍ର ଓ ମାନସ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଅରକ୍ଷିତ ସାହୁ, ସୁଧାଂଶୁ ସାହୁ ଓ ମୃତ୍ୟୁଞ୍ଜୟ ସାହୁ ଉତ୍ସବ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଧ୍ୟାପକ ଅଶୋକ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.