କେନ୍ଦ୍ରୀୟ ଆର୍ଥିକ ସହାୟତା ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ: ଆତଙ୍କବାଦୀ ଆକ୍ରମଣ, ନକ୍ସଲପନ୍ଥୀ କିମ୍ବା ସାମ୍ପ୍ରଦାୟିକ ହିଂସାର ଶିକାର ହୋଇଥିବାର ଲୋକମାନଙ୍କର ପରିବାରବର୍ଗଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା ଦେବା କ୍ଷେତ୍ରରେ ଆଧାରର ଆବଶ୍ୟକତା ପଡ଼ିବ। ଏକ ବିଜ୍ଞପ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିଭଳି ଆର୍ଥିକ ସହାୟତା ପାଉଥିବା ହିତାଧିକାରୀମାନଙ୍କୁ ଆଧାର କାର୍ଡ ଦେଖାଇବାକୁ ପଡ଼ିବ ଓ ସେହି ଆଧାରକାର୍ଡର ବୈଧତାକୁ ଯାଞ୍ଚ କରିବାକୁ ହେବ। ସେହି ହିତାଧିକାରୀମାନଙ୍କ ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ଶିକାର ହୋଇଥିବା ବ୍ୟକ୍ତିର ପରିବାରର ସଦସ୍ୟ, ସୀମାପାର ଗୁଳିଚାଳନାରେ ଶିକାର ହୋଇଥିବା ବ୍ୟକ୍ତିର ପରିବାର ଓ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥର ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିର ପରିବାର ପ୍ରଭୃତି ଅନ୍ତର୍ଭୁକ୍ତ।

ମନ୍ତ୍ରଣାଳୟ କହିଛି, କେବଳ ଆସାମ ଓ ମେଘାଳୟକୁ ଛାଡ଼ି ଦେଶର ବାକି ସବୁ ଅଞ୍ଚଳରେ ଏହି ବିଜ୍ଞପ୍ତି ଲାଗୁ ହୋଇଛି। ସେହି ଦୁଇ ରାଜ୍ୟର ସବୁ ଲୋକମାନେ ଆଧାର କାର୍ଡରେ ସ୍ଥାନ ପାଇ ନାହାନ୍ତି ବୋଲି ମନ୍ତ୍ରଣାଳୟ କହିଛି। ହିତାଧିକାରୀଙ୍କୁ ଆଧାର ନମ୍ବର ମିଳିବା ପରେ ଏହି ସବୁ ସୁବିଧା ତାଙ୍କୁ ମିଳିପାରିବ। ଏଥିପାଇଁ ସେମାନଙ୍କୁ ଆଧାର ନମ୍ବର ପାଇଁ ମିଳିଥିବା ଚିରକୁଟ ଦେଖାଇବାକୁ ପଡ଼ିବ। ଏହା ବ୍ୟତୀତ ସେମାନଙ୍କୁ ଡାକଘର ଜମାଖାତା, ଭୋଟର ପରିଚୟପତ୍ର କିମ୍ବା ପ୍ୟାନ୍‍କାର୍ଡ ଅଥବା ରେସନକାର୍ଡ ଦେଖାଇ ସୁବିଧା ଲାଭ କରିବାର ସୁଯୋଗ ମିଳିବ।

ଏହି ଯୋଜନାରେ ଉପକୃତ ହେବାକୁ ଥିବା ହିତାଧିକାରୀ ଯେଉଁମାନଙ୍କର ଆଧାର ନମ୍ବର ନାହିଁ ସେମାନେ ଆଧାର ପଞ୍ଜିକରଣ କରିବାକୁ କୁହାଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ କହିଛି, ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ପତ୍ର ପାଇବା ପରେ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଅର୍ଥ ମଂଜୁର କରିଥାଏ। ଏଥିପାଇଁ ୬ରୁ ୭ କୋଟି ତାଙ୍କ ବାର୍ଷିକ ବଜେଟ ବ୍ୟବସ୍ତା ଥିବା ଜଣାପଡିଛି।

Comments are closed.