ଆଧାର କାର୍ଡ ବୟସର ବଳିଷ୍ଠ ପ୍ରମାଣ ନୁହେଁ – ନ୍ୟାୟାଳୟ

ଚଣ୍ଡିଗଡ: ଆଧାର କାର୍ଡରେ ଉଦ୍ଦିଷ୍ଟ ଜନ୍ମ ତାରିଖ ଜଣେ ବ୍ୟକ୍ତିର ବାସ୍ତବ ବୟସର ବଳିଷ୍ଠ ପ୍ରମାଣ ନୁହେଁ ବୋଲି ପଞ୍ଜାବ ଓ ଚଣ୍ଡିଗଡ ଉଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଅମୋଲ ରତନ ସିଂହଙ୍କୁ ନେଇ ଗଠିତ ଉଚ୍ଚ ନ୍ୟାୟାଳୟଙ୍କ ପୀଠ ପରିବାର ଓ ସମ୍ପର୍କୀୟଙ୍କ ଇଚ୍ଛା ବିରୋଧରେ ବିବାହ କରିଥିବା ଏକ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ ପୂର୍ବକ ଉପରୋକ୍ତ ପର୍ଯ୍ୟବେକ୍ଷଣ କରିଛନ୍ତି। ବାଲ୍ୟ ବିବାହ ଆଇନ ଆଧାରରେ କନ୍ୟାଙ୍କ ପରିବାର ଲୋକ ବିବାହକୁ ଅବୈଧ ଘୋଷଣା କରିବା ଲାଗି ଆବେଦନ କରିଥିଲେ। ତେବେ କନ୍ୟାର ବିବାହ ବୟସ ହୋଇ ନଥିବା ନେଇ ପରିବାର ଲୋକ ପ୍ରମାଣ ସ୍ବରୂପ ତାଙ୍କ ଆଧାର କାର୍ଡକୁ ଉପସ୍ଥାପନ କରିଥିଲେ।

ତେବେ ଅଦାଲତ ଆଧାର କାର୍ଡକୁ ବୟସ ପ୍ରମାଣର ବାସ୍ତବ ପରିଚୟପତ୍ର ନୁହେଁ ବୋଲି କହିବା ସହ ବିବାହକୁ ବୈଧ ଘୋଷଣା କରିଛନ୍ତି। ନିକଟରେ ମେଘାଳୟ ଉଚ୍ଚ ନ୍ୟାୟାଳୟ ମଧ୍ୟ ଆଧାର କାର୍ଡକୁ ବୟସ ପ୍ରମାଣ ପରିଚୟ ଭାବେ ବ୍ୟବହାର ନ କରିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ।

Comments are closed.