ଆଡ୍‌ ହକ୍‌ କମିଟି ଗଠନ ବିବାଦ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ହକି ଓଡ଼ିଶା ସମ୍ପାଦକ

କଟକ: ହକି ଇଣ୍ଡିଆ ଓ ହକି ଓଡ଼ିଶା ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଦିନକୁ ଦିନ ତେଜିବାରେ ଲାଗିଛି। ହକି ଓଡ଼ିଶାକୁ ଅକାମୀ କରିବା ଉଦ୍ଦେଶ୍ୟ ନେଇ ହକି ଇଣ୍ଡିଅା ପକ୍ଷରୁ ଗଠନ କରାଯାଇଥିବା ଓଡ଼ିଶା ହକି ଆଡ୍‌ହକ କମିଟିକୁ ହକି ଓଡ଼ିଶାର ବିରୋଧ ଜାରି ରହିଛି। ହକି ଇଣ୍ଡିଆ ପକ୍ଷରୁ ଗଠନ କରାଯାଇଥିବା ଓଡ଼ିଶା ହକି ପରିଚାଳନା ନେଇ ଆଡ୍‌ହକ କମିଟି ଓ ପ୍ରତି ଜିଲାରେ ଆଡ୍‌ହକ କମିଟି ଗଠନ ନେଇ କ୍ରୀଡ଼ା ବିଭାଗର ଯୋଜନାକୁ ବନ୍ଦ କରିବା ନେଇ ପଦକ୍ଷେପ ନେବାକୁ ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ହକି ଓଡ଼ିଶା ୧୯୪୯ରେ ଗଠିତ ହୋଇଥିଲା। ଏକ ସ୍ବୟଂଶାସିତ ଅନୁଷ୍ଠାନ ଭା​‌େ​‌ବ ୭୨ ବର୍ଷ ହେବ କାର୍ଯ୍ୟ କରୁଛି। ହକି ଓଡ଼ିଶା ଜାତୀୟ ଜୁନିୟର ଓ ସବ୍‌ ଜୁନିୟର କ୍ଷେତ୍ରରେ ଦେଶର ଅପ୍ରତିଦ୍ବନ୍ଦ୍ବୀ ଦଳ। ଏହାଛଡ଼ା ଏକାଧିକ ଅନ୍ତର୍ଜାତୀୟ ପୁରୁଷ ଓ ମହିଳା ଖେଳାଳି ମଧ୍ୟ ସୃଷ୍ଟି କରିଛି। ଏଭଳି ଏକ ପୁରାତନ କ୍ରୀଡ଼ା ଅନୁଷ୍ଠାନ ରହିଥିବାବେଳେ ଓଡ଼ିଶା ହକି ଆଡ୍‌ହକ କମିଟି ଗଠନ କରିବା ଓଡ଼ିଶା ହକିକୁ କ୍ଷତିରେ ପହଞ୍ଚାଇବ ବୋଲି ଶ୍ରୀ ଶତପଥୀ ଚିଠିରେ ଉଲ୍ଲେଖ କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଗଠନ କରାଯାଇଥିବା ଆଡ୍‌ହକ୍‌ କମିଟି କାର୍ଯ୍ୟକରିବା ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଚଳିତ ଜୁଲାଇ ୭ରେ ରହିତାଦେଶ ଜାରି କରିଛନ୍ତି। ଏହା ପରେ ମଧ୍ୟ ରାଜ୍ୟ କ୍ରୀଡ଼ା ବିଭାଗ ଚଳିତ ଜୁଲାଇ ୨୨ ରେ ୩୦ ଜିଲାର ଜିଲାପାଳଙ୍କୁ ଜିଲା ହକି ଆଡ୍‌ହକ କମିଟି ଗଠନ କରିବା ନେଇ ଚିଠି କରିଛନ୍ତି। ଯେଉଁଥିରେ ଜିଲାପାଳ ଅଧ୍ୟକ୍ଷ ଓ ଜିଲା କ୍ରୀଡ଼ା ଅଧିକାରୀ କୋଷାଧ୍ୟକ୍ଷ ରହିବା ନେଇ ଉଲ୍ଲେଖ କରାଯାଇଛି। ଏକ ସ୍ବୟଂଶାସିତ ଅନୁଷ୍ଠାନ ଭାବେ ହକି ଓଡ଼ିଶା ରହିଥିବାବେଳେ ରାଜ୍ୟ ହକିକୁ ପରିଚାଳନା କରିବା ନେଇ ରାଜ୍ୟ ଓ ଜିଲାସ୍ତରରେ ଆଡହକ କମିଟି ଗଠନ କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଶତପଥୀ ଉଲ୍ଲେଖ କରିଛନ୍ତି। ରାଜ୍ୟ ହକି ପରିଚାଳନା ନେଇ ଓଡ଼ିଶା ହକି ଆଡ୍‌ହକ୍‌ କମିଟି ଓ ପ୍ରତି ଜିଲାରେ ଆଡ୍‌ହକ କମିଟି ଗଠନ କରିବା ନେଇ କ୍ରୀଡ଼ା ବିଭାଗର ଯୋଜନା ଉପରେ ବିଚାର କରି ଏହାକ ୁ ବନ୍ଦ କରିବା ନେଇ ହସ୍ତକ୍ଷେପ କରିବାକୁ ଶ୍ରୀ ଶତପଥୀ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Comments are closed.