ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ

ମୁମ୍ବଇ: ଅଧିକାଂଶ ସମୟରେ ବିବାଦରେ ରହୁଥିବା ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ରବିବାର ରାଜସ୍ଥାନର ବୁନ୍ଦୀ ପୁଲିସ ଗିରଫ କରିଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପିତା ମୋତିଲାଲ ନେହେରୁଙ୍କୁ ନେଇ ବିବାଦୀୟ ଭିଡିଓ ଶେୟାର କରିବା ଅଭିଯୋଗରେ ତାଙ୍କୁ ଅହମଦାବାଦରୁ ଗିରଫ କରାଯାଇଛି। ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ପାୟଲ ନିଜେ ଦେଇଛନ୍ତି।

ସେ ଟ୍ବିଟ୍‌ କରି ଲେଖିଛନ୍ତି, ‘‘ମୋତିଲାଲ ନେହେରୁଙ୍କ ଉପରେ ଏକ ଭିଡିଓ ଶେୟାର କରିବାକୁ ନେଇ ରାଜସ୍ଥାନ ପୁଲିସ ମୋତେ ଗିରଫ କରିଛି। ଗୁଗଲରୁ ସୂଚନା ନେଇ ମୁଁ ସେହି ଭିଡିଓଟିକୁ ତିଆରି କରିଥିଲି। କ’ଣ ବାକ୍ ସ୍ବାଧୀନତା ଏକ ମଜାକ୍’’? ପାୟଲ ତାଙ୍କର ଏହି ପୋଷ୍ଟରେ ପିଏମ୍ଓ ଇଣ୍ଡିଆ ଏବଂ ଗୃହ ମନ୍ତ୍ରଣାଳୟକୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ଅନ୍ୟପକ୍ଷରେ ବୁନ୍ଦୀ ପୁଲିସ ମଧ୍ୟ ପାୟଲଙ୍କ ଗିରଫ ସମ୍ବନ୍ଧୀୟ ସୂଚନା ଦେଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ପାୟଲ ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ସ୍ବାଧୀନତା ସଂଗ୍ରାମୀ ‌ମୋତିଲାଲ ନେହେରୁ, ଜବାହରଲାଲ ନେହେରୁ ଓ ଇନ୍ଦିରା ଗାନ୍ଧୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଏହାପରେ ତାଙ୍କ ବିରୋଧରେ ସମାଜସେବୀ ତଥା ଯୁବ କଂଗ୍ରେସ ନେତା ଚର୍ମେଶ ଶର୍ମା ଏତଲା ଦେଇଥିଲେ। ଏହି ପୋଷ୍ଟ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ସହ ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ମଧ୍ୟ ପ୍ରଭାବିତ କରିଥିବା ଚର୍ମେଶ ଅଭିଯୋଗ କରିଥିଲେ।

Comments are closed.