ବରିଷ୍ଠ ଅଭିନେତା ଶ୍ରୀରାମ ଲାଗୁଙ୍କ ଦେହାନ୍ତ

ମୁମ୍ବଇ: ପ୍ରଖ୍ୟାତ ହିନ୍ଦୀ ଓ ମରାଠି ଚଳଚ୍ଚିତ୍ର ତଥା ଥିଏଟର ଅଭିନେତା ଡଃ ଶ୍ରୀରାମ ଲାଗୁଙ୍କର ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୨ ବର୍ଷ ହୋଇଥିଲା। ଶ୍ରୀରାମ ତାଙ୍କ ଜୀବନକାଳରେ ୧୦୦ରୁ ଅଧିକ ହିନ୍ଦୀ ଓ ୪୦ରୁ ଅଧିକ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ। ଏତଦ୍‌ବ୍ୟତୀତ ସେ ୪୦ରୁ ଅଧିକ ଗୁଜରାତୀ ଓ ମରାଠୀ ନାଟକର ନିର୍ଦେଶନା ଦେଇଛନ୍ତି। ସେ ଫିଲ୍ମଫେୟାର ପୁରସ୍କାର ସହ ଏକାଧିକ ଜାତୀୟ ପୁରସ୍କାର ବିଜୟୀ ହୋଇଛନ୍ତି। କଳାକାର ବ୍ୟତୀତ ତାଙ୍କର ଅନ୍ୟ ଏକ ପରିଚୟ ଥିଲା। ସେ ଜଣେ ସଫଳ କର୍ଣ୍ଣ-ନାସା-ଗଳା ଚିକିତ୍ସକ ଥିଲେ। ଜଣେ ସାମାଜିକ କର୍ମୀ ଭାବେ ମଧ୍ୟ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଛି। ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ଲାମାନ୍‌’ ବେଶ୍‌ ପାଠକୀୟ ଆଦୃତି ଲାଭ କରିଛି। ଶ୍ରୀରାମ ପତ୍ନୀ ଦୀପା ଓ ପୁଅ ତନବୀର ଲାଗୁଙ୍କୁ ଛାଡ଼ି ଯାଇଛନ୍ତି। ‘ଘରୌଣ୍ଡା’, ‘​‌ଥୋଡ଼ିସି ବେୱାଫାଇ’, ‘ମକ୍‌ସଦ୍‌’, ‘ଦେଶ ପରଦେଶ’, ‘ଲାୱାରିସ୍‌’, ‘ମୁକଦ୍ଦର କା ସିକନ୍ଦର’, ‘ଇନ୍‌କାର’ ‘କିନାରା’, ‘ଜ୍ୟୋତି ବନେ ଜ୍ବାଲା’, ‘ହେରାଫେରୀ’ ଆଦି ତାଙ୍କ ଅଭିନୀତ ଶ୍ରେଷ୍ଠ ଚଳଚ୍ଚିତ୍ର।

ଶ୍ରୀରାମ ଲାଗୁଙ୍କ ଦେହାନ୍ତ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଣ ଝାବେଡକର ଟ୍ବିଟ କରି ଦୁଖଃ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଝାବେଡକର ତାଙ୍କ ଟ୍ବିଟରେ ଲେଖିଛନ୍ତି‘ ମହାନ କଳାକାର ଶ୍ରୀ ରାମ ଲାଗୁଙ୍କୁ ମୋର ଶ୍ରଦ୍ଧାଞ୍ଜଳୀ। ଦେଶ ଏକ ବହୁମୂଖୀ ପ୍ରତିଭାଙ୍କୁ ହରେଇଲା।

Comments are closed.