ସୌମ୍ୟଙ୍କ ଚିଠି ପ୍ରଘଟ: ଚାକର ହୋଇ ରହିବି, ପାଦ ତଳେ ସ୍ଥାନ ଦିଅ

ଖଇରା: ମୁଁ ତୁମର ଯୋଗ୍ୟତା ଜାଣିବାକୁ ଚାହୁଁନି। ମୁଁ ଏ ନେଇ ତୁମକୁ କେବେ ବି କିଛି କହିବିିନି। ମୁଁ ଚାହେଁ, ତୁମେ କେବଳ ମୋର ସ୍ତ୍ରୀ ଓ ଭଲ ବନ୍ଧୁ ହୋଇ ରୁହ। ତୁମେ ଯାହା ଚାହିଁବ, ମୁଁ ବନ୍ଦୋବସ୍ତ କରିଦେବି। ମୁଁ ଚାକିରିରୁ ଇସ୍ତଫା ଦେଇଦେବି ଓ ମୁଁ ତୁମର ଚାକର ହୋଇ ରହିବି। ମାତ୍ର ତୁମ ପାଦ ତଳେ ମୋତେ ଟିକେ ସ୍ଥାନ ଦିଅ। ଏହା ପରେ ଯଦି କିଛି ଘଟେ, ମୋର କିଛି କହିବାର ନାହିଁ। ମୁଁ ଆଉ କିଛି କହିବିନି, ମୁଁ ବାଧା ଦେଲେ ସେ ମୋ ନାମରେ ଘରୋଇ ହିଂସା ମାମଲା ରୁଜୁ କରିପାରେ….। ଏହା କୌଣସି ଯାତ୍ରାର ସଂଳାପ ନୁହେଁ। ବରଂ ଦୀର୍ଘ ୧୧ ଦିନ ହେଲା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ମୃତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ହାତଲେଖା ଚିଠି। ଯାହାକି ଗଣମାଧ୍ୟରେ ପ୍ରସାରଣ ହେବା ପରେ ଦିନ ତମାମ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏହା ଥିଲା ଚଳିତ ବର୍ଷ ଫେବ୍ରୁଆରୀ ୨୧ରୁ ୨୩ ତାରିଖ ମଧ୍ୟରେ ତିନିଥରରେ ମୃତ ସୌମ୍ୟ ହାତରେ ଲେଖିଥିବା ଚିଠିର କିୟଦଂଶ।

ଏଣେ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପୋଡ଼ି ହୋଇ ମୃତ୍ୟୁବରଣ ଘଟଣା ଦିନକୁ ଦିନ ରହସ୍ୟ ହେବାରେ ଲାଗିଛି। ଏହି ଚର୍ଚ୍ଚିତ ଘଟଣାରେ ପୁଲିସ ଓ ଅପରାଧ ଶାଖା ଦଳ ତନାଘନା ତଦନ୍ତ ଚଳାଇ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ମାରାଥନ ଜେରା ଚଳାଇଛନ୍ତି। ଏତିକି ବେଳେ ସୌମ୍ୟ ଏବଂ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଗୋଟିଏ ପରେ ଗୋଟିଏ ହାତଲେଖା ଚିଠି ଗଣମାଧ୍ୟମରେ ହସ୍ତଗତ ହେବାରେ ଲାଗିଛି। ବିଦ୍ୟାଭାରତୀଙ୍କ ହାତଲେଖାକୁ ନେଇ ଚର୍ଚ୍ଚା ନଥୁମୁଣି ଆଜି ପୁଣି ମୃତ ସୌମ୍ୟଙ୍କ ହାତଲେଖା ଚିଠି ପ୍ରସାରଣ ହୋଇଛି। ସୌମ୍ୟଙ୍କ ପରିବାରର ଓକିଲ ଗଣମାଧ୍ୟମକୁ ତାଙ୍କର ସେହି ଲେଖା ସଂକ୍ରାନ୍ତରେ କିଛି ସୂଚନା ଦେଇଛନ୍ତି। ସୌମ୍ୟ ଗତ ଫେବୃଆରୀ ୨୧ରୁ ୨୩ ତାରିଖ ଭିତରେ ଲେଖିଥିବା ଚିଠିରେ ଉପରୋକ୍ତ ଆବେଗପୂର୍ଣ୍ଣ ବାର୍ତ୍ତା ପତ୍ନୀ ବିଦ୍ୟାଭାରତୀଙ୍କ ଉଦେଶ୍ୟରେ ଲେଖିଥିବା କୁହାଯାଉଛି।

ବୁଧବାର ପ୍ରସାରିତ ହୋଇଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଚିଠିରେ ଥିବା ଆଉ କିଛି ଲେଖା ସମ୍ପର୍କରେ ଜଣାପଡ଼ିଛି। ସେ ଲେଖିଥିଲେ, ହେ ଈଶ୍ୱର ଦୟା କରି ମୋର ସବୁ ଭୁଲ ପାଇଁ କ୍ଷମା କରିଦିଅ। ମାତ୍ର ଦୟା କରି ମୋ ଜୀବନ ନଷ୍ଟ କର ନାହିଁ। କେମିତି ଆଉ ୩ଟା ଦିନ ଯିବ, ମୁଁ ଅନ୍ତତଃ ବାର ପନ୍ଦର ଦିନି ଶାନ୍ତିରେ ରହିପାରିବି। ମୁଁ ଏଇ ଲୋକକୁ ଦୁନିଆରେ ସବୁଠାରୁ ବେଶି ଘୃଣା କରେ। ଏପରିକି ମୋ ନାମ ସହ ତା ନାମ ଯୋଡ଼ିବାକୁ ମୁଁ ଘୃଣା କରେ। ଗୋଟେ ନିଷ୍ପତ୍ତି କିପରି ଜୀବନକୁ ନଷ୍ଟ କରିଦିଏ। ମୋର ସମସ୍ତ ନିର୍ବୋଧ ନିଷ୍ପତ୍ତି ପାଇଁ ସାରା ଜୀବନକୁ ନଷ୍ଟ କରିଦେଲି। ଦୟା କରି କ୍ଷମା କରିଦିଅ। ଦୟା କରି ଜୀବନ ସାରା ପାଇଁ ମୋର କଷ୍ଟ ଦିଅନି। କାହାର କେବେ କ୍ଷତି କରିନି। କେବେ କାହାର କ୍ଷତି ଚାହିଁନି ଆଦି ହାତଲେଖାରେ ଉଲ୍ଲେଖ ରହିଛି । ପ୍ରସାରଣ ହେଉଥିବା ଉଭୟଙ୍କ ହାତଲେଖା ସେମାନଙ୍କ ସ୍ବଲିଖିତ କି ନୁହେଁ ତାହା ସ୍ପଷ୍ଟ ହୋଇପରିନି।

ସରିଲା ସୌମ୍ୟଙ୍କ ଏକାଦଶାହ କର୍ମ
ଅନ୍ୟପକ୍ଷରେ ଆଜି ସୌମ୍ୟଙ୍କ ବାସଭବନରେ ପରିବାର ପକ୍ଷରୁ ଏକାଦଶାହ କାମ ସମ୍ପନ୍ନ ହୋଇଛି। ଏବେ ସୌମ୍ୟଙ୍କୁ ଝୁରୁଛନ୍ତି ତାଙ୍କ ପରିବାର, ସାଙ୍ଗସାଥୀ, ସହପାଠୀ ଓ ଆତ୍ମୀୟସ୍ବଜନ। ଖଇରା ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ ବାଲେଶ୍ବର ଫକୀରମୋହନ ସ୍ୱୟଂଶାସିତ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଶେଷ କରିଥିଲେ ସୌମ୍ୟରଞ୍ଜନ। ପରେ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟରୁ ବନ ବିଭାଗ ବିଷୟରେ ସ୍ନାତକକୋତ୍ତର ଡିଗ୍ରୀ ହାସଲ କରିଥିଲେ। ୨୦୧୮ ମସିହାରେ ଓଡିଶା ବନ ବିଭାଗ ସେବାରେ ଯୋଗ ଦେଇ କୁଏମ୍ବାତୁରରେ ତାଲିମ ଶେଷ କରି ୨୦୨୦ ଜୁନ ୧ ତାରିଖରେ ପାରଳାଖେମୁଣ୍ଡିରେ ସହକାରୀ ବନ ସଂରକ୍ଷକ ଭାବେ ଯୋଗଦେଇଥିଲେ।

ଏହା ଭିତରେ ଡିସେମ୍ବର ମାସରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଗୌଡଗାଁର ଶ୍ରୀହରି ପଣ୍ଡାଙ୍କ ଝିଅ ବିଦ୍ୟାଭାରତୀଙ୍କୁ ବିବାହ କରିଥିଲେ। ବିବାହର ବର୍ଷକ ପରେ ସୌମ୍ୟଙ୍କ ମୃତ୍ୟୁରେ ଆତ୍ମୀୟସ୍ବଜନମାନେ ତାଙ୍କୁ ଝୁରୁଛନ୍ତି। ତାଙ୍କୁ ହତ୍ୟା କରାଯାଇଛି ବୋଲି ବାପା ଅଭିଯୋଗ କରିଛନ୍ତି। ପୁଅ ମୃତ୍ୟୁର ୧୧ ଦିନ ବିତିଗଲା ପରେ ମଧ୍ୟ ବୋହୂ କିମ୍ବା ତାଙ୍କ ପରିବାର ଲୋକେ ନ ଆସିବା ଅମାନବିକତା ବୋଲି କ୍ଷୋଭର ସହ ସେ କହିଛନ୍ତି। ଉପଯୁକ୍ତ ତଦନ୍ତ କରି ଦୋଷୀମାନଙ୍କୁ ଦଣ୍ଡ ଦିଆଯାଉ ବୋଲି ଅଧ୍ୟାପକ ଜିତେନ୍ଦ୍ର କୁମାର ମହାନ୍ତି ସରକାରଙ୍କ ନିକଟରେ ଦାବି କରିଛନ୍ତି।

Comments are closed.