୬ମାସ ତଳେ ଲୁଟ ହୋଇଥିବା ବୋଲେରୋ ଜବତ, ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପୁଲିସ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଏକ ବଡ ଆନ୍ତଃଜିଲ୍ଲା ଡକାୟତ ସଦସ୍ୟଙ୍କୁ ଠାବ କରିବାରେ ସକ୍ଷମ ହୋଇଛି। ଯେଉଁ ଡକାୟତ ଦଳର ସଦସ୍ୟମାନେ ନୟାଗଡ, ଶରଣକୂଳ ଗ୍ୟାଙ୍ଗ ଡକାୟତରେ ମଧ୍ୟ ସଂପୃକ୍ତ ଥିଲେ, ସେମାନଙ୍କ ସହିତ ସଂପର୍କ ଥିବା ଅଭିଯୁକ୍ତକୁ ଆଜି ଖୁଣ୍ଟୁଣୀ ପୁଲିସ ଗତ ଜୁନ୍‍ ୧୦ ତାରିଖ ଡ୍ରାଇଭରକୁ ନିଶା ଦେଇ ବୋଲେରୋ ଲୁଟ କରିବା ଘଟଣାରେ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତର ନାମ ବିରଞ୍ଚି ବେହେରା ହୋଇଥିବା ବେଳେ ତାର ଘର ଦ୍ୱାରାବତୀପୁର ଗାଁରେ ବୋଲି ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ରମେଶ ସାହୁଙ୍କ ଏକ ବୋଲେରୋକୁ ସୁମନ ବସ୍ତିଆ ବୁଝାସୁଝା କରୁଥିଲେ। ଜୁନ୍‍ ୧୦ ତାରିଖ ଦିନ ଜୈନିକ ଯୁବକ ନିଜକୁ ଘଣ୍ଟିଖାଲ ନିକଟସ୍ଥ ଏକ ସିମେଣ୍ଟ କାରଖାନାର କର୍ମଚାରୀ କହି ଡାକ୍ତରଖାନା ଭଡାରେ ଯିବା ପାଇଁ କହିଥିଲା। ସୁମନ ଭଡା ଯିବା ନିମନ୍ତେ ଗାଡି ଚାଳକ ସୁଶାନ୍ତ ରାଉତଙ୍କୁ କହିଥିଲେ। ଯୁବକଜଣକ ଗାଡିଟିକୁ ଆଠଗଡ ନେବା ପରିବର୍ତ୍ତେ ଅଂଶୁପା ରାସ୍ତାରେ ନେଇ ଗାଡିଚାଳକକୁ ନିଶା ଦେଇ ଅଚେତ୍‍ କରିଦେବା ସହିତ ଢାଇପୁର ନିକଟସ୍ଥ ଜଙ୍ଗଲିଆ ସ୍ଥାନରେ ଫୋପାଡି ଦେଇଥିଲେ। ଏହାପରେ ବୋଲେରୋଟିକୁ ନେଇ ଫେରାର ହୋଇଯାଇଥିଲେ। ଏହି ଲୁଟ ଘଟଣାରେ ଖୁଣ୍ଟୁଣୀ ଥାନାରେ ୧୧ ତାରିଖରେ ଲିଖିତ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଥିଲେ। ଡ୍ରାଇଭର ଠାରୁ ଛଡାଇ ନେଇଥିବା ମୋବାଇଲକୁ ଟ୍ରାକ କରାଯାଇ ଲୁଟ ଘଟଣାରେ ସଂପୃକ୍ତଅଭିଯୁକ୍ତକୁ ଠାବ କରାଯାଇଥିଲା। ଏହା ଏକ ଯୋଜନାବଦ୍ଧ ଡକାୟତ ଥିଲା। ଯଦିଓ ଜଣେ ଡାକ୍ତରଖାନା ନେବା ବାହାନାରେ ଡ୍ରାଇଭରକୁ ଧରି ଆଠଗଡ ପାର୍ଶ୍ବକୁ ଯିବା ପାଇଁ କହିଥିଲା ହେଲେ ଗାଡିର ପଛେପଛେ ଅନ୍ୟ ୪ଜଣ ବାଇକରେ ପିଛା କରିଥିଲେ। ଏହି ଘଟଣାରେ ପୁଲିସ ଦ୍ୱାରା ବତୀପୁରର ବିରଞ୍ଚି ବେହେରାକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ଓ ଅନ୍ୟଦୁଇଜଣ ବିଭିନ୍ନ ମୋକଦ୍ଦମାରେ ସଂଶ୍ଲିଷ୍ଟ ଥାଇ ଜେଲରେ ଥିବାରୁ ଖୁଣ୍ଟୁଣୀ ଥାନା ଅଧିକାରୀ ଶ୍ରୀଦାସ ରିମାଣ୍ଡରେ ସେମାନଙ୍କୁ ପଚରାଉଚରା କରିଥିଲେ ଓ ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ତଦନ୍ତରେ ବାଧା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ହେଲେ ସେମାନଙ୍କ ଘର ଯାଜପୁର ଓ ଜଗତସିଂହପୁର ଅଞ୍ଚଳରେ ବୋଲି ପୋଲିସ ସୁତ୍ରରୁ ଜଣାଯାଏ। ଏହି ବୋଲେରୋ ଲୁଟ ଘଟଣାରେ ସଂପୃକ୍ତ ଥିବା ଜୈନିକ ଯୁବକ ପୂର୍ବରୁ ବିଭିନ୍ନ ବ୍ୟାଙ୍କଲୁଟରେ ମଧ୍ୟ ସଂପୃକ୍ତ ହୋଇ ଫେରାର ରହିଛନ୍ତି। ଏହି ଫେରାର ହୋଇଥିବା ଅଭିଯୁକ୍ତ ଯୁବକ ସହିତ ପୋଲିସ ଦ୍ୱାରା ଗରିଫ ହୋଇଥିବା ଅଭିଯୁକ୍ତ ବିରଞ୍ଚିର ସଂପର୍କ ଅତି ନିବିଡ ବୋଲି ଥାନା ଅଧିକାରୀ ତଦନ୍ତରୁ ଜାଣିବାକୁ ପାଇଥିଲେ।

Comments are closed.