ଚଳନ୍ତା ଅଟୋ ଉପରେ ଗଛ ପଡ଼ି ଜଣେ ମହିଳା ମୃତ

କନ୍ଧମାଳ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଖିଲାବାଡ଼ି ଛକ ଠାରେ ଏକ ଅଟୋ ଉପରେ ଗଛ ପଡିଯିବାରୁ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ମୃତ ସବାନ୍ତିଙ୍କ ମୃତଦେହ ଘଟଣା ସ୍ଥଳରେ ପଡ଼ି ରହିଛି। ମୃତ ମହିଳା ଜଣଙ୍କ ଦାରିଙ୍ଗବାଡ଼ି ଥାନା ପ୍ଲିହେରି ଗ୍ରାମର ସବାନ୍ତି ପ୍ରଧାନ ବୋଲି ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଅଟୋ ଯୋଗେ ଦାରିଙ୍ଗବାଡ଼ି ଲ୍ୟାମ୍ପସରୁ ଟଙ୍କିକିଆ ଚାଉଳ ନେଇ ନିଜ ଗ୍ରାମ ପ୍ଲିହେରିକୁ ଫେରୁଥିବା ସମୟରେ ଖିଲାବାଡ଼ି ଛକ ନିକଟରେ ଏକ ଝାଉଁ ଗଛ ଅଟୋ ଉପରେ ପଡିଯାଇଥିଲା।ଆଉ ଘଟଣା ସ୍ଥଳେ ସବାନ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅଟୋରେ ବସିଥିବା ଚାଳକଙ୍କ ସହ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ମୃତ ସବାନ୍ତି ପ୍ରଧାନ ଦାରିଙ୍ଗବାଡ଼ି ବ୍ଲକ ପ୍ଲିହେରି ପଞ୍ଚାୟତର ୩ ନମ୍ବର ୱାର୍ଡ ମେମ୍ବର ରହିଥିବା ଜଣାପଡିଛି। ଘଟଣା ସ୍ଥଳରେ ଏପର୍ଯ୍ୟନ୍ତ ପୁଲିସ ପହଞ୍ଚି ପାରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Comments are closed.