କ୍ଷୀରଗାଡି ଧକ୍କାରେ ସ୍କୁଟି ଆରୋହୀ ସାପୁଆ ନଦୀରେ ନିଖୋଜ

ଆଠଗଡ : ଏକ ଅଭାବନୀୟ ଘଟଣାକ୍ରମରେ ଏକ କ୍ଷୀର ବୋଝେଇ ଗାଡି ଧକ୍କାରେ ସ୍କୁଟିରେ ଆସୁଥିବା ଜଣେ ଆରୋହୀ ସାପୁଆନଦୀରେ ପଡି ନିଖୋଜ ହୋଇଥିବା ଜଣାପଡିଛି । ଘଟଣାର ବିବରଣୀରୁ ପ୍ରକାଶ ଆଠଗଡ ପଟରୁ ଖୁଣ୍ଟୁଣୀ ଆଡକୁ ଯାଉଥିବା ଏକ କ୍ଷୀର ବୋଝେଇ ଗାଡି ବୀପରିତ ଦିଗରୁ ଏକ ସ୍କୁଟିକୁ ଆଠଗଡ ଉପକଣ୍ଠ ସାପୁଆ ନଦୀ ପୋଲ ଉପରେ ଧକ୍କା ଦେବାରୁ ସେଥିରେ ଆସୁଥିବା ଗୋବରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ରାଉତ ଛିଟିକିପଡି ସାପୁଆନଦୀ ଗର୍ଭରେ ପଡି ନିଖୋଜ ହୋଇଯାଇଛନ୍ତି। ତେବେ ତାଙ୍କ ସ୍କୁଟିରେ ଅନ୍ୟଜଣେ କେହି ଥିଲେ ଓ ସେ ମଧ୍ୟ ତାଙ୍କ ସହ ଛିଟିକି ନଦୀରେ ପଡି ନିଖୋଜ ହୋଇଥିବା କିଛି ଲୋକ କହୁଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇପାରୁନାହିଁ । ସେହି ଜାଗାରେ ଅନ୍ୟଏକ ଟିଭିଏସ ଏକ୍ସେଲ ମୋପେଡକୁ ସେହି କ୍ଷୀରଗାଡି ଧକ୍କା ଦେବାରୁ ଇଶ୍ୱରା ଗ୍ରାମର ସୁନିଲ କୁମାର ଦାସ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଆହତ ସୁନିଲ ଧକ୍କା ହୋଇଥିବା ଅନ୍ୟ ସ୍କୁଟିଟିରେ ଜଣେ ଥିଲେ ବୋଲି କହୁଥିବା ଆଠଗଡ ଆଇଆଇସି ବାମଦେବ ସ୍ୱାଇଁଙ୍କ ସୁତ୍ରରୁ ପ୍ରକାଶ। ଘଟଣାଟି ଅପରାହ୍ନ ପ୍ରାୟ ୫ଟାରେ ଘଟିଥିବା ଜଣାପଡିଛି । ସାପୁଆ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଜଳର ସ୍ରୋତ ପ୍ରଖର ରହିଛି। ଖବର ପାଇ ଆଠଗଡ ଦମକଳ ବାହିନୀ ସେଠାରେ ପହଞ୍ଚି ସନ୍ଧ୍ୟା ପର୍ଯ୍ୟନ୍ତ ନଦୀ ଗର୍ଭରେ ପହଁରି ପହଁରି କନ୍ତୋଲ ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ସେମାନଙ୍କର ସନ୍ଧାନ ପାଇନଥିଲେ। ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିବାବେଲେ ପୁଲିସ ଅଧିକାରୀ ଶ୍ରୀ ସ୍ୱାଇଁ ଓ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଅନ୍ଧକାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରିବାକୁ ପଡିଥିଲା । ଆସନ୍ତାକାଲି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଜାରି ହେବ ବୋଲି ଆଠଗଡ ଦମକଳ ବିଭାଗର ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ କହିଛନ୍ତି । ନିଖୋଜ ପବିତ୍ରମୋହନ ସମସରପୁର ପଞ୍ଚାୟତ ଅଧିନ ରଘୁନାଥପୁର ଗ୍ରାମର ବୋଲି ଜଣାପଡିଛି।

Comments are closed.