ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର

ଆଠଗଡ : ପୁରୁଣା କଟକ-ସମ୍ବଲପୁର ରାସ୍ତାର ବୀରକିଶୋରପୁର ନିକଟବର୍ତ୍ତୀ ରାଧାପତିପୁର ଗ୍ରାମ ନିକଟରେ ଏକ ଟିଭିଏସ ଏକସେଲ୍ ମୋପେଡ୍ ଦୁଇ ଟ୍ରକ ମଝିରେ ପିଟି ହେବାରୁ ଦୁଇଜଣ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁବାର ଦିନ ପ୍ରାୟ ୩ଟା ବେଳେ ଆଠଗଡ ଆସି ନିଜ ଗ୍ରାମକୁ ଫେରୁଥିବା ତିଗିରିଆ ଚଷାଆଁରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ପ୍ରତାପ ପିରୋଇ ରାଧାପତିପୁର ନିକଟସ୍ଥ ପାରିଜାତ ହୋଟେଲ ପାଖରେ ଏକ ଟ୍ରକକୁ ଅତିକ୍ରମ କରୁଥିବାବେଳେ ବୀପରିତ ଦିଗରୁ ଆସୁଥିବା ଆଉ ଏକ ଟ୍ରକ୍ ଦେହରେ ପିଟି ହୋଇ ତଳେ ପଡିଥିଲେ। ସେମାନଙ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ସହିତ ରାସ୍ତାରେ ପଡି ଛଟପଟ ହେଉଥିଲେ। ଏହି ସମୟରେ ସ୍ଥାନୀୟ ରାଧାପତିପୁର ଗ୍ରାମର ତିନିଜଣ ସ୍ୱେଚ୍ଛାସେବୀ ଯୁବକ ସେମାନଙ୍କୁ ଏକ ଟାଟା ଏସିଇ ଗାଡି ଭଡାକରି ତୁରନ୍ତ ନେଇ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ କଟକ ବଡମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବରପାଇ ଘଟଣାସ୍ଥଳରେ ଆଠଗଡ ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟିଭିଏସ ଏକସେଲ୍ଟିକୁ ଜବତ କରିଥିବାବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ ୨ଟି ଫେରାର ହୋଇଥିବା ଜଣାପଡିଛି।

Comments are closed.