ଜୋଧପୁରରେ ପର୍ଯ୍ୟଟକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା , ୨ ମହିଳା ସମେତ ୫ ମୃତ

ଗଭୀର ଦୁଃଖ ପ୍ରକାଶ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଜୋଧପୁର : ରାଜସ୍ଥାନର ଜୋଧପୁର ଜିଲାର ୧୧ ନମ୍ବର ଜାତୀୟ ରାଜପଥ ବାପ ଥାନା ଅନ୍ତର୍ଗତ ଗାଡନା ଗାଁ ନିକଟରେ ଶନିବାର ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ପର୍ଯ୍ୟଟକ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ମହିଳା ସମେତ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାସହ ୬ ଜଣ ଶିଶୁଙ୍କ ସମେତ ୧୨ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ ସୂଚନା ଅନୁଯାୟୀ, ଉକ୍ତ ବସରେ ଦିଲ୍ଲୀରୁ ଆସିଥିବା ସମସ୍ତ ପର୍ଯ୍ୟଟକ ଥିଲେ। ସମସ୍ତେ ଜୈସଲମେର ଭ୍ରମଣ ପରେ ଫେରୁଥିବା ସମୟରେ ସକାଳେ ଗାଡନା ଗାଁ ନିକଟରେ ଟ୍ରକ ସହ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ବସର ଅଂଶ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଖି ଦୁର୍ଘଟଣା ଖୁବ ଭୟଙ୍କର ଥିଲା ବୋଲି ଜଣାପଡିଛି। ସ୍ଥାନୀୟଲୋକେ , ପୁଲିସ ଓ ଉଦ୍ଧାରକାରୀ ଦଳ ପ୍ରଥମେ ବସରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ୨ ଗାଡି ଚାଳକରୁ ଜଣେ ଚାଳକର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଟ୍ୱିଟ ଯୋଗେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ଜୋଧପୁର ଜିଲାର ୧୧ ନମ୍ବର ଜାତୀୟ ରାଜପଥ ବାପ ଥାନା ଅନ୍ତର୍ଗତ ଗାଡନା ଗାଁ ନିକଟରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରୁଛି। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Comments are closed.