ପିପିଲି ବ୍ଲକ ଛକରେ ସଡ଼କ ଦୁର୍ଘଟଣା: ୩ ଗୁରୁତର, ୨ ସଂକଟାପନ୍ନ

ପିପିଲି:ପିପିଲି ବ୍ଲକଛକ ଠାରେ ବୁଧବାର ରାତିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ୩ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ସେମାନଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାଇ, ବ୍ଲକଛକ ସ୍ଥିତ ଶ୍ରୀହରି ହୋଟେଲ୍‍ ନିକଟରେ ବୁଧବାର ରାତିରେ ଗୋଟିଏ ସ୍କୁଟି ଓ ଅନ୍ୟ ଏକ ବାଇକ୍‍ ମଧ୍ୟରେ ମୁହିଁମୁହିଁ ଧକ୍କା ଲାଗିଥିଲା। ଦୁର୍ଘଟଣା ପରେ ବାଇକ୍‍ଟି ଘଟଣାସ୍ଥଳରୁ ପ୍ରାୟ ୭୦ ମିଟର ପର୍ଯ୍ୟନ୍ତ ଘୋଷାରି ହୋଇ ରାସ୍ତା କଡରେ ପଡିଥିଲା। ଏଥିରେ ଉଭୟ ଗାଡିରେ ଥିବା ୩ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତଙ୍କ ମୁଣ୍ଡ, ଛାତି, ଗୋଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିବା ସହ ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହୋଇଥିବା ପରିଲକ୍ଷିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମବାହିନୀ ସେମାନଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି ପିପିଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କ୍ୟାପିଟାଲ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପିପିଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।

Comments are closed.