ଘାଟିରେ ଓଲଟିଲା ପିଆଜ ବୋଝେଇ ଟ୍ରକ ; ୨ ମୃତ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ୧୦୦ ଫୁଟ ତଳକୁ ଏକ ପିଆଜ ବୋଝେଇ ଟ୍ରକ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ବୁଧବାର ଖବର ମିଳିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ୨ ଜଣ ଟ୍ରକ ଚାଳକ ହୋଇଥିବା ବେଳେ ଗୁରୁତର ଆହତ ଜଣଙ୍କ ହେଲପର ବୋଲି ଜଣାପଡିଛି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତଙ୍କ ଘର ମହାରାଷ୍ଟ୍ରର ମାଲକାପୁରରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନା ଯୋଗ୍ୟ, ନାସିକରୁ ଏକ ପିଆଜ ବୋଝେଇ ଟ୍ରକ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ଆଜି ସକାଳେ ଟ୍ରକଟି ବାଙ୍ଗିରିପୋଷି ଘାଟି ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସିପଡିଥିଲା । ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରିଥିଲେ । ଦୁର୍ଘଟଣା କାରଣରୁ କିଛି ସମୟ ରାସ୍ତା ଜାମ୍‌ ହେବା ପରେ ପୁଣି ଯାନବାହନ ଚଳାଚଳ ସ୍ୱଭାବିକ ହୋଇଥିଲା । ଅଣଓସାରିଆ ରାସ୍ତା କାରଣରୁ ଦୁର୍ଘଟଣା ଘଟୁଛି ବୋଲି କୁହାଯାଉଛି ।

Comments are closed.