ବରଯାତ୍ରୀ ଶୋଭାଯାତ୍ରା ଉପରେ ମାଡିଗଲା ଚାଉଳ ବୋଝେଇ ଟ୍ରକ, ସରପଞ୍ଚଙ୍କ ସମେତ ତିନି ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାଣ୍ଡ୍ରିପାଣି ଠାରେ ବୁଧବାର ଏକ ବରଯାତ୍ରୀ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ଚାଉଳ ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ପାଣ୍ଡ୍ରିପାଣି ସରପଞ୍ଚ ଶିବ ଖେମୁଡୁଙ୍କ ପୁଅର ବାହାଘର ପରେ ଏକ ଶୋଭା ଯାତ୍ରାରେ ବର ସମେତ ତାଙ୍କ ବନ୍ଧୁ ପରିବାର ଯାଉଥିଲେ । ସେହି ସମୟରେ ନିୟନ୍ତ୍ରଣ ହରାଇ ଏକ ଚାଉଳ ବୋଝେଇ ଗାଡି ଆସି ଶୋଭା ଯାତ୍ରାରେ ଆସୁଥିବା ଲୋକଙ୍କ ଉପରେ ଚଢି ଯାଇଥିଲା । ଫଳରେ ଏକ ବାଇକ ଆରୋହୀ ସମେତ ଶୋଭା ଯାତ୍ରାରେ ଯାଉଥିବା ପାଣ୍ଡ୍ରିପାଣି ସରପଂଚ ବରଙ୍କ ବାପା ଶିବ ଖେମୁଡୁ ଏବଂ ସୁନାବେଡାର ଜଣେ ଯୁବକ ସନ୍ତୋଷ କୁମାର ସାହୁ, ଓ ଜଣେ ବାଜା ବାଲା ଘଟଣା ସ୍ଥଳରେ ମୃତ୍ୟୁବରଣ ଘଟିଥିଲ।। ଏଥିରେ ପାଂଚଜଣ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ପ୍ରଥମେ ପାଣ୍ଡ୍ରିପାଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମାଲକାଗନରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି। ଘଟଣା ସ୍ଥଳରେ ପ୍ରବଳ ଉତେଜନା ପ୍ରକାଶ ପାଇଲା ପରେ ଡ୍ରାଇଭରଙ୍କୁ ଗ୍ରାମଲୋକେ ନିସ୍ତୁକ ମାଡ ମାରିଥିବା ଜଣାପଡିଛି । କ୍ଷତିପୁରଣ ଦାବି କରି ମାଲକାନଗିରି ମୋଟୁ ମୁଖ୍ୟ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ମାଲକାନଗିରି ଆଇଆଇସି ରାମପ୍ରସାଦ ନାଗ ପହଞ୍ଚି  ମୃତଦେହ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛନ୍ତି।

Comments are closed.