ଅଜଣା ଗାଡି ଧକ୍କାରେ ୪ବର୍ଷର ଶିଶୁର ମୃତ୍ୟୁ

କ୍ଷତିପୂରଣ ଦାବୀରେ ଚାରିଛକ-ଫୁଲବାଣି ରାସ୍ତା ଅବରୋଧ

ହରଭଙ୍ଗା : କିଛି ସମୟ ପୂର୍ବରୁ ମାଆ ପାଖରେ କୁରକୁରି ଖାଇବା ପାଇଁ ଅଳି କରୁଥିଲା ପୁଅ। ପୁଅର ଅଳି ଶୁଣି ମାଆ ପଣତକାନିରୁ କୁରୁକୁରି କିଣିବା ପାଇଁ ୫ଟଙ୍କା ଦେଇଥିଲା। କୁରୁକୁରି କିଣି ଖୁସିରେ ରାସ୍ତା ପାର ହେଉଥିବାବେଳେ ଏକ ଅଜଣା ଗାଡି ଧକ୍କାରେ ୪ବର୍ଷ ପୁଅର ଜୀବନ ଚାଲିଗଲା। ଏଥିଲା ବୌଦ୍ଧ-କନ୍ଧମାଳ ସୀମାନ୍ତ ଗେଟାମୁଣ୍ଡା ଗାଁ ନିକଟରେ ବୁଧୁବାର ଘଟିଥିବା ଆଉ ଏକ ହୃଦୟବିଦାରକ ଘଟଣା । ଏଭଳି ଅଘଟଣ ମୃତ ଶିଶୁର ପରିବାରକୁ ଯେତିକି ଯନ୍ତ୍ରଣା ଦେଇଛି।ତାଠାରୁ ଅଧିକ ଯନ୍ତ୍ରଣା ଦେଇଛି କିଛି ସମୟ ପୂର୍ବରୁ ମାଆ ପାଖରେ ଅଳି କରୁଥିବା ମୃତ ଶିଶୁର ଜନ୍ମଦାତ୍ରୀ ମାଆକୁ। ଘଟଣାରୁ ଜଣାଯାଏ ଯେ ଗେଟାମୁଣ୍ଡା ଗ୍ରାମର ବିଛନ୍ଦ ପ୍ରଧାନଙ୍କ ୪ବର୍ଷର ପୁଅ ବିନାୟକ ପ୍ରଧାନ କୁରକୁରି ଖାଇବା ପାଇଁ ମାଆ ପାଖରେ ଅଝଟ କରିଥିଲା। ପୁଅର ଅଝଟରେ ମାଆ ପୁଅକୁ ୫ଟଙ୍କା ଦେଇଥିଲା କୁରୁକୁରି ଖାଇବାକୁ। ପାଖ ଦୋକାନରୁ କୁରୁକୁରି କିଣି ରାସ୍ତା ପାର ହେଉଥିବାବେଳେ ଏକ ଅଜଣା ଗାଡି ଧକ୍କାରେ ଶିଶୁଟିର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ ସହାୟତାରେ ବିନାୟକଙ୍କୁ ଆମ୍ବୁଲାନ୍ସ ସହାୟତାରେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି । ଏଭଳି ଘଟଣାପରେ ଉତ୍ୟକ୍ତ ଲୋକେ ଚାରିଛକ-ଫୁଲବାଣୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଦୀର୍ଘ ୪ଘଂଟା ଧରି ରାସ୍ତାର ଉଭୟ ପାଶ୍ୱର୍ରେ ଯାନବାହାନ ଅଟକି ରହିଥିଲା। ଖବରପାଇ ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପଂହଚିଥିଲା। ଖବରପାଇ କନ୍ଧମାଳ ଟାଉନଥାନା ଏସ.ଡି.ପିଓ ମହେନ୍ଦ୍ରନାଥ ମୁର୍ମୂ ଘଟଣାସ୍ଥଳରେ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠିରୁ ୧୦ହଜାରଟଙ୍କା ସହାୟତା ପ୍ରଦାନ କରିଥିଲେ।ନିଜ ଗାଡିରେ ଶିଶୁର ଶବକୁ ବ୍ୟବଛେଦ ପାଇଁ ଫୁଲବାଣି ମେଡିକାଲ ନେବା ସହିତ ୨ଲକ୍ଷଟଙ୍କା କ୍ଷତିପୂରଣ ମିଳିବା ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା।

Comments are closed.