ସଡ଼କ ଦୁର୍ଘଟଣାରେ ଦଶନ୍ଧିରେ ଯାଇଛି ୩୮ହଜାର ଜୀବନ

ଭୁବନେଶ୍ବର: ରାଜ୍ୟରେ ସଡ଼କ ଦୁର୍ଘଟଣା ପ୍ରତିବର୍ଷ ବଢ଼ୁଛି, ଏହା ସହ ବଢ଼ୁଛି ମୃତକଙ୍କ ସଂଖ୍ୟା । ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଗୃହ, ପୂର୍ତ୍ତ, ଅବକାରୀ, ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନେଇ କମିଟି ଗଠନ କରାଯାଇ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏହା ସହ ଜଣେ ଡ଼ିଏସପି ପାହ୍ୟାର ପୂର୍ଣକାଳୀନ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ପରାମର୍ଶ ଦେଇଛନ୍ତି । ଗତବର୍ଷ ଡ଼ିଏସପି ପ୍ରଦୀପ କୁମାର ଜାଲି ବଦଳି ହେବା ପରେ ଏହି ସ୍ଥାନରେ କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ଏହି ପଦରେ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦେବା ନିମନ୍ତେ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଗୃହ ବିଭାଗକୁ ଚିଠି ଲେଖିଛନ୍ତି ।

ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଚିଠି ଅନୁସାରେ ଗତବର୍ଷ ଅର୍ଥାତ୍ ୨୦୧୯ରେ ସଡ଼କ ଦୁର୍ଘଟଣାରେ ରାଜ୍ୟରେ ଯାଇଛି ୫୩୩୩ ଜୀବନ । ଗତ ଦଶନ୍ଧିରେ ଏହି ସଂଖ୍ୟା ପ୍ରାୟ ୩୮ ହଜାର। ସଡ଼କ ସୁରକ୍ଷା ଏବେ ଏକ ଗୁରୁତର ପ୍ରସଙ୍ଗରେ ପରିଣତ ହୋଇଛି । ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଅଭାବରୁ ଅନେକ ସମୟରେ ଦୁର୍ଘଟଣା ନିୟନ୍ତ୍ରଣ କରିବା ସମ୍ଭବପର ହେଉନାହିଁ । ତେଣୁ ପରିବହନ କମିସନରଙ୍କ କାର୍ୟ୍ୟାଳୟରେ ସ୍ଥାପିତ ଓଡ଼ିଶା ସଡ଼କ ସୁରକ୍ଷା ସେଲରେ ଜଣେ ପୂର୍ଣ୍ଣକାଳୀନ ଡ଼ିଏସପି ପାହ୍ୟାର ଅଧିକାରୀଙ୍କୁ ନିଯୁକ୍ତି ଦେବା ନିମନ୍ତେ ସେ ଅନୁରୋଧ କରିଛନ୍ତି ।

Comments are closed.