ଡିଭାଇଡର ସହ ପିଟି ହୋଇ ଓଲଟିଲା କାର, ୬ ଆହତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଉଳା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର୍‍ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡରରେ ପିଟି ହୋଇ ଓଲଟି ପଡିବାରୁ ସେଥିରେ ଥିବା ୬ଜଣ ଯୁବକ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍‍ପିଟାଲକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁଯାଇ, ଭୁବନେଶ୍ୱରରୁ ପୁରୀ ଅଭିମୁଖେ କ୍ଷୀପ୍ର ଗତିରେ ଆସୁଥିବା ଏକ କାର ସିଉଳା ଛକ ଠାରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ସହ ଧକ୍କା ଲାଗିବା ପରେ ଡିଭାଇଡର ଉପରକୁ ଉଠିଯାଇଥିଲା । ଡିଭାଇଡର ମଝିରେ ଥିବା ଏକ ଗଛ ସହ ଧକ୍କା ଲାଗିବା ପରେ କାର୍‍ଟି ସେଠାରେ ଓଲଟି ପଡିଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍‍ ମଧ୍ୟରେ ଚାପି ହୋଇ ରହିଥିବା ସମସ୍ତ ୬ଜଣ ଆହତ ଯୁବକଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କ ଘର ଭୁବନେଶ୍ୱର ଅଞ୍ଚଳରେ ହୋଇଥିବା ସଂପର୍କରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି ।

Comments are closed.