ଟ୍ରାକ୍ଟର-ବାଇକ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅଧୀନସ୍ଥ ଅନ୍ତର୍ଡ଼ା (ଆମପାଲି) ରାସ୍ତାରେ ଯାଉଥିବା ଏକ ବାଇକ ସହ ଟ୍ରାକ୍ଟର ଧକ୍କା ହେବାରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଗୋଟିଏ ବାଇକରେ ୩ ଜଣ ବସି ଯାଉଥିବା ବେଳେ ଅନ୍ତାର୍ଡ଼ା ନିକଟ ସଙ୍କୁଚିତ ରାସ୍ତାରେ ହଠାତ୍ ଏକ ଟ୍ରାକ୍ଟର ଧକ୍କାର ସମ୍ମୁଖୀନ ହୋଇଥିଲେ । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ବିନିକା ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେବାରୁ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ଟ୍ରାକ୍ଟର ଚକ ତଳେ ପଡ଼ି ଗୁରୁତର ଆହତ ହୋଇଥିବା ଶିବା ସୁନା (୧୬)କୁ ଉଦ୍ଧାର କରି ଆଣି ବିନିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଘଟଣାରେ ଅନ୍ୟ ଦୁଇ ଜଣ ଆହତଙ୍କୁ ପରେ ଆମ୍ବୁଲାନ୍ସ ସେବାରେ ଆଣି ବିନିକା ହସ୍ପିଟାଲକୁ ପହଞ୍ଚା ଯାଇଥିଲା। ତେବେ ବିନିକା ଡାକ୍ତରଖାନାରେ ଡାକ୍ତର ଅତି ଗୁରୁତର ଆହତ ହୋଇଥିବା ଶିବା ସୁନା (୧୬)କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ପରେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ଆନ୍ତର୍ଡା (ଆମପାଲି)ର ଗୁରୁଦେବ ସୁନା ଓ ପୂର୍ଣ୍ଣଚନ୍ଦ୍ର ସୁନା ବୋଲି ଜଣା ପଡ଼ିଛି। ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହେବାରୁ ଦୁହିଁଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରା ଯାଇଥିବା ସୂଚନା ମିଳିଛି। ବୁର୍ଲା ଡ଼ାକ୍ତରଖାନାକୁ ପଠା ଯାଇଥିବା ଦୁଇ ଆହତଙ୍କ ଅବସ୍ଥା ମଧ୍ୟ ସେଠାରେ ସଙ୍କଟାପନ୍ନ ଥିବା ବିନିକା ଥାନା ଅଧିକାରୀ ପବିତ୍ର କୁମାର ସାହୁ ସୂଚନା ଦେଇଛନ୍ତି।

Comments are closed.