ବିଦ୍ୟାର୍ଥୀ ପରିଷଦର ନୂତନ ପ୍ରୟାସ-ଋତୁମତି ଅଭିଯାନ

ନବରଙ୍ଗପୁର : ନବରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଋତୁମତି ଅଭିଯାନ ଆରମ୍ଭ କରାଯାଇଛି । ଏହା ପୂର୍ବରୁ ଓଡ଼ିଶା ପ୍ରାନ୍ତରେ ଝାନସୀ ରାଣୀ ଲଷ୍ମୀବାଇଙ୍କ ଜୟନ୍ତୀ ନଭେମ୍ବର୧୯ ତାରିଖ ଦିନ ଏହାର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର କଲେଜର ଅଧ୍ୟକ୍ଷା ମାଲେଶ୍ୱରୀ ସାହୁ, ଜିଲ୍ଲା ପ୍ରମୁଖ ଦୀପାଞ୍ଜଳି ଦାସ, କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟା ସ୍ମୃତିସୁଧା ସାହୁ, ପାପଡାହାଣ୍ଡିର ପିଏଚଇ ଅଫିସର ସଂଗୀତା ପାତ୍ର, ଅସୀମା ଦିଦି ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଝାନସୀ ରାଣୀ ଲଷ୍ମୀବାଇଙ୍କ ଫୋଟୋ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ମାଲକାନଗିରି ନଗର ବିସ୍ତାରକ ସୁବାସ ନାୟକ ମଞ୍ଚାସିନ ଅତିଥିଙ୍କର ପରିଚୟ ପ୍ରଦାନ କରିଥିଲେ। କଲେଜର ଅଧ୍ୟକ୍ଷା ଶ୍ରୀମତୀ ସାହୁ ଋତୁସ୍ରାବ – ଏକ ସମସ୍ୟା ନୁହେଁ, ଏହା ବିଷୟରେ ସ୍ୱତନ୍ତ୍ର ଆଲୋଚନା ହେବା ଦରକାର ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ ସମୟରେ ପରିସ୍କାର ପରିଚ୍ଛନ୍ନତାର ଆବଶ୍ୟକତା ଓ ସମାଜରେ ଏହାକୁ ମୁକ୍ତ ଭାବେ ଆଲୋଚନା କରିବା ଉଚିତ ବୋଲି ସ୍ମୃତିସୁଧା ସାହୁ ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମତୀ ପାତ୍ର ଋତୁସ୍ରାବ ସମ୍ବନ୍ଧିତ ଅନେକ ବିଷୟରେ ଆଲୋଚନା କରିଥିଲେ ।ଆମେ କିଭଳି ଏହି ସମୟରେ ସ୍ୱଚ୍ଛତା ରକ୍ଷା କରିବା, ସେ ବିଷୟରେ ମଧ୍ୟ ଛାତ୍ରୀ ମାନଙ୍କୁ କହିଥିଲେ । ଋତୁସ୍ରାବକୁ ଅନ୍ଧ ବିଶ୍ୱାସ ନୁହଁ, ନୂତନ ସୃଷ୍ଟିର ଏକ ପ୍ରାରମ୍ଭ ବୋଲି ମଧ୍ୟ ସେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଦୀପାଞ୍ଜଳି ଦାସ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା କ୍ରୀଡା ପ୍ରମୁଖ ମୋହିନୀ ବେହେରା ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଏଭଳି ଏକ ସୁନ୍ଦର ପଦକ୍ଷେପକୁ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମକୁ ସର୍ବଦା ସ୍ୱାଗତ କରିବେ ବୋଲି ମତ ପ୍ରକାଶ କରିଥିଲେ।

Comments are closed.