୬ ଲକ୍ଷରୁ ଅଧିକ ଲୋକଙ୍କୁ ପରିବହନ କରିଛି ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ – ରେଳବାଇ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଲକ ଡାଉନ ସମୟରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ପ୍ରାୟ ୬ ଲକ୍ଷରୁ ଅଧିକ ଲୋକଙ୍କୁ ଭାରତୀୟ ରେଳ ପହଞ୍ଚାଇ ପାରିଛି। ବିଭିନ୍ନ ରାଜ୍ୟରୁ ମୋଟ ୫୪୨ଟି ‘ଶ୍ରମିକ’ ​​ସ୍ୱତନ୍ତ୍ର ଟ୍ରେନ୍ କାର୍ଯ୍ୟକ୍ଷମ ହୋଇଛି ଯେଉଁଥିରେ ୪୪୮ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଛି ଏବଂ ୯୪ଟି ଟ୍ରେନ୍ ଏବେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛି। ଏହି ଟ୍ରେନ୍ ଗୁଡିକରେ ୬ ଲକ୍ଷ ୪୮ ହଜାର ଯାତ୍ରୀ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛନ୍ତି।

ଏହି ୪୪୮ଟି ଟ୍ରେନଗୁଡିକ ମଧ୍ୟରେ ଆନ୍ଧ୍ରପ୍ରଦେଶକୁ ୧ଟି, ବିହାରକୁ ୧୧୭ଟି, ଛତିଶଗଡକୁ ୧ଟି, ହିମାଚଳ ପ୍ରଦେଶକୁ ୧ଟି, ଝାଡ଼ଖଣ୍ଡକୁ ୨୭ଟି, କର୍ଣ୍ଣାଟକକୁ ୧ଟି, ମଧ୍ୟପ୍ରଦେଶକୁ ୩୮ଟି, ମହାରାଷ୍ଟ୍ରକୁ ୩ଟି ଟ୍ରେନ ଯାତ୍ରା କରିଥିବା ବେଳେ, ଓଡିଶାକୁ ୨୯ଟି, ରାଜସ୍ଥାନକୁ ୪ଟି, ତାମିଲନାଡୁକୁ ୧ଟି, ତେଲେଙ୍ଗାନାକୁ ୨ଟି, ଉତ୍ତରପ୍ରଦେଶକୁ ୨୨୧ଟି ଏବଂ ପଶ୍ଚିମବଙ୍ଗକୁ ୨ଟି ଯାତ୍ରା କରୁଛି।

ଏହି ଟ୍ରେନଗୁଡିକ ତିରୁଚିରାପଲ୍ଲୀ, ଟିଟଲାଗଡ, ବାରୁନି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍, ପ୍ରୟାଗରାଜ, ଚାପ୍ରା, ବାଲିଆ, ଗୟା, ପୂର୍ଣ୍ଣିୟା, ବାରାଣାସୀ, ଦର୍ବଙ୍ଗା, ଗୋରଖପୁର, ଲକ୍ଷ୍ନୌ, ଜଉନପୁର, ହାଟିଆ, ବସ୍ତି, କତିହାର, ଦାନପୁର, ମୁଜାଫରପୁର ଏବଂ ସାହର୍ସ ଆଦି ଅଂଚଳକୁ ଶ୍ରମିକମାନଙ୍କୁ ନେଇ ଛାଡ଼ିଛି। ଭାରତୀୟ ରେଳବାଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ଯିବା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ କରାଯାଇଛି। ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ମାଗଣା ଭୋଜନ ଏବଂ ପାଣି ମଧ୍ୟ ଯୋଗାଇ ଦିଆଯାଇଛି।

Comments are closed.