ଅପହୃତା ନାବାଳିକା ୬ ଘଣ୍ଟାରେ ଉଦ୍ଧାର

ପିପିଲି : ବଳଙ୍ଗା ଥାନା ଅଞ୍ଚଳରୁ ଜଣେ ୧୧ ବର୍ଷିୟା ନାବାଳିକା ଅପହୃତ ହୋଇଥିବା ନେଇ ଅଭିଯୋଗ ହେବାର ୬ଘଣ୍ଟା ମଧ୍ୟରେ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ଏହି ମାମଲାରେ ବଳଙ୍ଗା ପୁଲିସ ଅପହରଣକାରୀ ଯୁବକକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ବିବାହ କରିବା ଉଦ୍ଦେଶ୍ୟରେ ନାବାଳିକାକୁ ଅପହରଣ କରାଯାଇଥିବା ଓ ତାକୁ କଲିକତା ନେଇଯିବା ପାଇଁ ଯୋଜନା କରାଯାଇଥିବା ସଂପର୍କରେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ସୂଚନା ଦେଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବଳଙ୍ଗା ଥାନା ଅନ୍ତର୍ଗତ ପିପିଲି ବ୍ଳକର ରଥପୁରୁଷୋତ୍ତମପୁର ପଞ୍ଚାୟତ ଅଞ୍ଚଳର ଜଣେ ୧୧ ବର୍ଷିୟା ନାବାଳିକା ଶନିବାର ସଂନ୍ଧ୍ୟା ୭ଟାରୁ ଘରୁ ନିଖୋଜ ହୋଇଥିବା ସଂପର୍କରେ ତାଙ୍କ ବାପା ବଳଙ୍ଗା ପୁଲିସରେ ଅଭିଯୋଗ କରିଥିଲେ । ଏସଂପର୍କରେ ବଳଙ୍ଗା ପୁଲିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ପୁରୀ ଏସ୍‍ପି ଡ଼ଃ କନ୍‍ୱର ବିଶାଳ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ ଓ ବଳଙ୍ଗା ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ନେତୃତ୍ୱରେ ନାବାଳିକାକୁ ଉଦ୍ଧାର କରିବା ପାଇଁ ସେହି ରାତିରେ ୩ଟି ସ୍ୱତନ୍ତ୍ର ପୁଲିସ ଟିମ୍‍ ଗଠନ କରାଯାଇଥିଲା। ପିପିଲି ଏସ୍‍ଡିପିଓ ଓ ବଳଙ୍ଗା ଥାନାଧିକାରୀ ଅପହୃତା ନାବାଳିକାର ଗ୍ରାମରେ ପହଞ୍ଚି ରାତିରେ ତଦନ୍ତ ଚଳାଇଥିଲେ। ଉକ୍ତ ଗ୍ରାମର ୨ଜଣ ଯୁବକଙ୍କୁ ପୁଲିସ ସନ୍ଦେହରେ ମାରାଥନ ଜେରା କରିବା ପରେ ଅପହରଣ ସଂପର୍କରେ ସାମାନ୍ୟ ସୁରାକ୍‍ ପାଇଥିଲା । ପରେ ପୁଲିସ ଡେଲାଙ୍ଗ ଥାନା ଅଞ୍ଚଳରୁ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକକୁ ଧରିବାରେ ସଫଳ ହୋଇଥିଲା।  ଅଭିଯୋଗ ହେବାର ମାତ୍ର ୬ଘଣ୍ଟା ମଧ୍ୟରେ ବଳଙ୍ଗା ପୁଲିସର ସମୟୋପଚିତ ପଦକ୍ଷେପ ଫଳରେ ଅପହୃତା ନାବାଳିକାକୁ ଉଦ୍ଧାର କରିବାରେ ସଫଳ ହୋଇଥିବାରୁ ବଳଙ୍ଗା ପୁଲିସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଅପହରଣକାରୀ ଯୁବକର ଘର ଡେଲାଙ୍ଗ ଥାନା ଅଞ୍ଚଳରେ ହୋଇଥିବା ବେଳେ ଆସନ୍ତା କାଲି ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୁଲିସ ସୂଚନା ଦେଇଛି । ତଦନ୍ତରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଅପହରଣକାରୀର ନାମକୁ ପୁଲିସ ଗୋପନ ରଖିଛି ।

Comments are closed.