ନଭେମ୍ବର ପହିଲାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ: ଅବଢ଼ା ଓ ହବିଷ୍ୟ ଡାଲମା ଯୋଗାଇବ ଶ୍ରୀଲିଙ୍ଗରାଜ ବ୍ରାହ୍ମଣ ନିଯୋଗ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେବ। ମାସ ସାରା ହବିଷ୍ୟାଳିମାନେ ଓଳିଏ ଅନ୍ନ ଭୋଗ ଖାଇ ପରିବାର ଲୋକଙ୍କ ଠାରୁ ଅଲଗା ରହି ଏହି ବ୍ରତ ନିଷ୍ଠାର ସହ ପାଳନ କରିବେ। ଏବର୍ଷ କରୋନା ଯୋଗୁଁ ସବୁ ଦେବାଳୟକୁ ଭକ୍ତ ଯିବା ଲାଗି ବାରଣ କରାଯାଇଛି। ସେଥିପାଇଁ ହବିଷ୍ୟାଳିମାନେ ଏବର୍ଷ ଘରେ ରହି ବ୍ରତପୂଜା କରିବେ। ହେଲେ ସେମାନଙ୍କୁ ଅବଢା ଓ ହବିଷ୍ୟ ଡାଲମା ବରାଦି ଭାବେ ମାସସାରା ଯୋଗାଇ ଦିଆଯିବ ବୋଲି ଶ୍ରୀଲିଙ୍ଗରାଜଙ୍କ ବ୍ରାହ୍ମଣ ନିଯୋଗ ସେବାୟତ ନିଷ୍ପତ୍ତି ନେଇଛନ୍ତି।

ଅନନ୍ତ ବାସୁଦେବ ମନ୍ଦିରରେ ଏହି ବରାଦି ଅବଢା ଯୋଗାଇ ଦିଆଯିବ। ଯେଉଁ ମହାସୁଆର ସେବାୟତ କେତେ ଜଣଙ୍କ ଲାଗି ବରାଦି ଅବଢା ଯୋଗାଇବେ ତାହାର ଏକ ତାଲିକା ନିଯୋଗ କାର୍ଯ୍ୟାଳୟରେ ଦାଖଲ କରିବେ। ଯେଉଁ ହବିଷ୍ୟାଳି ମାସସାରା ଅବଢା ନେବା ପାଇଁ ଇଛା ପ୍ରକାଶ କରିବେ ସେମାନଙ୍କୁ ଭୁବନେଶ୍ବର ଭିତରେ ହୋମ ଡେଲିଭରି ବ୍ୟବସ୍ଥାରେ ଯୋଗାଇ ଦିଆଯିବ। ଏଥିପାଇଁ ତାଙ୍କୁ ଅଧିକ ଡେଲିଭରି ଦେୟ ଦେବାକୁ ପଡ଼ିବ। ଆଉ ଯେଉଁମାନେ ମନ୍ଦିର ପାଖକୁ ଆସି ଅବଢା ନେବେ ସେମାନଙ୍କୁ ଟୋକନ ଦେଖାଇ ନେବାକୁ ହେବ। ଏଥିଲାଗି ନିଯୋଗ ତରଫରୁ ଟୋକନ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀଲିଙ୍ଗରାଜ ବ୍ରାହ୍ମଣ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.